ସାମାଜିକ ପୌଢ଼ଶିକ୍ଷା (ପ୍ରଥମ ଭାଗ)

 

 

 

 

 

 

 

 

ସାମାଜିକ ପ୍ରୌଢ଼ଶିକ୍ଷା

(ପ୍ରଥମ ଭାଗ)

 

ଶ୍ରୀ ରାଧାମୋହନ ପାଣିଗ୍ରାହୀ

ଶ୍ରୀ ରଘୁନାଥ ପାଣିଗ୍ରାହୀ

 

ସ୍ୱାସ୍ଥ୍ୟ ଓ ସ୍ୱାସ୍ଥ୍ୟରକ୍ଷା

 

ନୀରୋଗ ଅବସ୍ଥାକୁ ‘ସ୍ୱାସ୍ଥ୍ୟ’ କୁହାଯାଏ । ଯେଉଁ ଲୋକ ଦେହରେ କୌଣସି ରୋଗ ନାହିଁ ଏବଂ ଯାହାର ହାତପାଦ, ନାକକାନ, ଆଖିଦାନ୍ତ ପ୍ରଭୃତି ଅଙ୍ଗପ୍ରତ୍ୟଙ୍ଗ ସ୍ୱାଭାବିକ ଅବସ୍ଥାରେ ରହି ଭଲ କାମ କରୁଛନ୍ତି ଓ ମନ ଶୁଦ୍ଧ ଓ ସଫା ଅଛି, ସେହି ଲୋକକୁ ସୁସ୍ଥ ଲୋକ କହନ୍ତି । ଯେଉଁ ବ୍ୟକ୍ତି ସମ୍ପୂର୍ଣ୍ଣ ନୀରୋଗ ସେ କେବେ ଡାକ୍ତର କବିରାଜମାନଙ୍କ ନିକଟକୁ ଯାଏ ନାହିଁ ଏବଂ ତା’ର ଔଷଧ ଖାଇବାର ଆଦୌ ଆବଶ୍ୟକତା ରହେ ନାହିଁ । ରୋଗୀ ଲୋକ ଡାକ୍ତର କବିରାଜ ପାଖକୁ ଦୌଡ଼ିବାରେ ଏବଂ ଔଷଧାଦି ବ୍ୟବହାର କରିବାରେ ଯେଉଁ ଧନ ଖରଚ କରେ ସୁସ୍ଥ ଲୋକ ସେଥିରୁ ମୁକ୍ତ ରହେ ।

 

ସ୍ୱାସ୍ଥ୍ୟ ମନୁଷ୍ୟର ଏକ ଅମୂଲ୍ୟ ସମ୍ପତ୍ତି । ସ୍ୱାସ୍ଥ୍ୟରତ୍ନ ଥରେ ହାତରୁ ଖସିଲେ ତାହା ପୁଣି ପାଇବାକୁ ଅନେକ କାଳ ଲାଗେ, ବିସ୍ତର ବ୍ୟୟ ହୁଏ । ତେଣୁ ସ୍ୱାସ୍ଥ୍ୟ ଯେପରି ନଷ୍ଟ ନ ହୁଏ, ସେଥିପ୍ରତି ବିଶେଷ ସାବଧାନ ରହିବା ବିଧେୟ । ସ୍ୱାସ୍ଥ୍ୟ କିପରି ଅକ୍ଷୁଣ୍ଣ ରକ୍ଷା କରାଯାଇପାରେ ତାହାର ଆଲୋଚନା କରାଯାଉଅଛି ।

 

ଖାଦ୍ୟପାନ– ଆମ୍ଭେମାନେ ପ୍ରତ୍ୟହ କାହିଁକି ଖାଉଁ ? ଆମ୍ଭମାନଙ୍କର ଶରୀର ଗୋଟିଏ ରେଲ୍‍ଇଞ୍ଜିନ ପରି । ରେଲ୍‍ଇଞ୍ଜିନରେ ସମୟେ ସମୟେ କୋଇଲା ଓ ପାଣି ଦିଆଯାଏ, ଏହା ଅନେକେ ଦେଖିଥିବେ । ତାହା କାହିଁକି ଦିଆଯାଏ ଜାଣ ? ତାହା ଇଞ୍ଜିନର ଖାଦ୍ୟ । ଇଞ୍ଜିନ ସେହି ଖାଦ୍ୟ ଖାଇ ଚାଲେ । କୋଇଲା, ପାଣି ନ ପାଇଲେ ଇଞ୍ଜିନ ଚାଲେ ନାହିଁ, ସ୍ଥିର ହୋଇ ଛିଡ଼ା ରହେ-। ନଖାଇଲେ ସେହିପରି ଆମ୍ଭମାନଙ୍କ ଶରୀର ମଧ୍ୟ ଅଚଳ ହୋଇପଡ଼ିବ । ଦିନକୁଦିନ ଦେହ ଶୁଖିଯିବ ଓ ଶେଷରେ ମୃତ୍ୟୁ ସୁନିଶ୍ଚିତ । ଶରୀରର କ୍ଷତିପୂରଣ ପାଇଁ ଖାଦ୍ୟ ଏକାନ୍ତ ପ୍ରୟୋଜନ-। କେବଳ ସେତିକି ନୁହେଁ, ଶରୀରର ବୃଦ୍ଧି, ଶକ୍ତିଲାଭ ଓ ସ୍ୱାସ୍ଥ୍ୟରକ୍ଷା ମଧ୍ୟ ଖାଦ୍ୟଯୋଗୁଁ ସାଧିତ ହୁଏ-। ତେଣୁ ଖାଦ୍ୟ ହେଉଛି ଜୀବଜଗତର ପ୍ରଧାନ ସମସ୍ୟା । ‘‘ଖାଦ୍ୟ ଛାଡ଼ିଲେ ଆୟୁହାନି, ଯୋଗ ସାଧିବ କାହାଘେନି ?’’ ଖାଦ୍ୟ କହିଲେ ଖାଲି ଅନ୍ନକୁ ବୁଝାଏ ନାହିଁ, ବାୟୁ ଓ ଜଳକୁ ମଧ୍ୟ ବୁଝାଏ । ଯେହେତୁ ସେ ଦିଓଟି ଜିନିଷ ମଧ୍ୟ ପେଟ ଭିତରକୁଯାଏ ।

 

ପୃଥିବୀରେ ସମସ୍ତ ମନୁଷ୍ୟଜାତି କେବଳ ଏକଜାତୀୟ ଖାଦ୍ୟ ଖାଇ ବଞ୍ଚିରହିନାହାନ୍ତି । କେତେକ ଲୋକ ଶସ୍ୟଭୋଜୀ, ଅର୍ଥାତ୍‌ ଚାଉଳ, ଗହମ, ମାଣ୍ଡିଆ, ମକ୍କା, ଜହ୍ନା, ଫଳମୂଳ, ଶାକସବଜୀ ପ୍ରଭୃତି ଦ୍ରବ୍ୟରେ ଜୀବନ କଟାନ୍ତି । ଅନ୍ୟ କେତେ ଆମିଷଭୋଜୀ ଅର୍ଥାତ୍‌ ମାଛ, ମାଂସାଦି ଖାଇ ବଞ୍ଚିରହନ୍ତି । କେତେ ଲୋକ ଶସ୍ୟ, ଆମିଷ, ଦୁଧ, ଘିଅ ଇତ୍ୟାଦି ଦ୍ୱାରା ଶରୀର ରକ୍ଷା କରନ୍ତି । ଉଲ୍ଲିଖିତ ସମସ୍ତ ଜିନିଷ ଖାଦ୍ୟ । ମନୁଷ୍ୟ ନିଜର ସୁବିଧା ଓ ରୁଚି ଅନୁସାରେ ତହିଁରୁ ଆବଶ୍ୟକୀୟ ଦ୍ରବ୍ୟମାନ ଖାଦ୍ୟରୂପେ ଗ୍ରହଣ କରିନେଇଛି ।

 

ଗହମ–ଶସ୍ୟଜାତ ଖାଦ୍ୟ ମଧ୍ୟରେ ଗହମ ସର୍ବଶ୍ରେଷ୍ଠ । ଯହିଁରେ ପୁଷ୍ଟିକର ପଦାର୍ଥ ପୂର୍ଣ୍ଣମାତ୍ରାରେ ଅଛି । ଗହମରୁ ନାନାରକମର ଖାଦ୍ୟଦ୍ରବ୍ୟ ତିଆରି କରାଯାଏ ଏବଂ ସେ ସବୁ ସହଜରେ ହଜମ ହୋଇପାରେ । ଗହମକୁ ଘୋରଣାରେ ଚୂରି ଖାଦ୍ୟପଦାର୍ଥ ତିଆରି କରିବା ଭଲ-। ଯେହେତୁ କଳମଇଦାରେ ସାର ରହେନାହିଁ । ମକ୍କା, ଜହ୍ନା ଗହମଜାତୀୟ ଖାଦ୍ୟଅଟେ । ମାତ୍ର ଏହା ଗହମ ପରି ସହଜରେ ଜୀର୍ଣ୍ଣ ହୋଇପାରେ ନାହିଁ ।

 

ଚାଉଳ– ଆମ ଓଡ଼ିଶାରେ ଲୋକଙ୍କର ପ୍ରଧାନ ଖାଦ୍ୟ ଚାଉଳ । ଚାଉଳରେ ସାରବାନ୍‌ ଉପାଦାନ କମ୍‌ ଥାଏ । ଚାଉଳର ଚାରିପାଖରେ ଯେଉଁ ଲାଲ୍ ଚୋପା ଥାଏ, ତା’ ଦେହରେ ‘ବି’ ଶ୍ରେଣୀୟ ଭିଟାମିନ ବହୁତ ଥାଏ । ଚାଉଳକୁ ଅଧିକ କାଣ୍ଡିବାଦ୍ୱାରା ସେହି ଲାଲ୍ ଚୋପା ନଷ୍ଟ ହୋଇଯାଏ ଏବଂ ସେହି ଚାଉଳ ଖାଇଲେ ‘ବେରିବେରି’ ରୋଗ ଜନ୍ମେ । କଳ ଚାଉଳଠାରୁ ଢିଙ୍କିକୁଟା ଚାଉଳ ଉତ୍କୃଷ୍ଟ । ପୁରୁଣା ଚାଉଳ ଅତିଶୀଘ୍ର ଜୀର୍ଣ୍ଣ ହୁଏ, କିନ୍ତୁ ନୂଆ ଚାଉଳ ଦୁଷ୍ପାଚ୍ୟ ହୋଇ ନାନାପ୍ରକାର ପେଟ ଗୋଳମାଳ ସୃଷ୍ଟିକରେ । ପେଜ ଭାରି ପୁଷ୍ଟିକର ଜିନିଷ । ତେଣୁ ରାନ୍ଧିବାବେଳେ ଭାତଦେହରୁ ପେଜ ବାହାର କରିବା ଉଚିତ ନୁହେଁ । ଭାତ ସାଙ୍ଗରେ ଡାଲି, ଦୁଧ, ଘିଅ, ମାଛ, ମାଂସ ଖାଇବା ଭଲ । ଚାଉଳରୁ ମଧ୍ୟ ନାନାରକମ ଖାଦ୍ୟଜିନିଷ ପ୍ରସ୍ତୁତ କରାଯାଏ ।

 

ଚାଉଳ ଭଜା– ଏହା, ଟିକିଏ ଗରମ ଥାଉ ଥାଉ ଖାଇଲେ କଫ ନାଶ ହୋଇଥାଏ କିନ୍ତୁ ରୁକ୍ଷ ଓ ପିତ୍ତକାରକ ।

 

ଚୁଡ଼ା– ଏହା ଗୁରୁପାକ ଓ କଫବର୍ଦ୍ଧକ ଅଟେ । ଜଳରେ ଭଲଭାବରେ ଧୋଇ, ଗାଈଦୁଧରେ ବତୁରାଇ ଖାଇଲେ ବାତ ନାଶ କରେ । ଚୁଡ଼ା ଉପରେ ଥିବା କୁଣ୍ଡା ଝାଡ଼ା ବନ୍ଦ କରେ-। ଆମ ପାକ କରେ ବୋଲି ‘ଆମାଶୟ’ ରୋଗରେ ଚୁଡ଼ାଧୁଆ ପାଣି ପିଅନ୍ତି ।

 

ଲିଆ– ସଜ ଭଜା ହୋଇଥିବା ଲିଆରୁ ଉତ୍ତମରୂପେ ଖଇ ବାଛିଦେଇ ଖାଇଲେ ଅଗ୍ନିବୃଦ୍ଧି ହୁଏ । ଲିଆମଣ୍ଡ କ୍ଷୁଧା ବର୍ଦ୍ଧକ, ମେହଦାହ ଓ ତୃଷା ନିବାରକ ।

 

ମୁଗ ଡାଲି– ଲଘୁପାକ, କଫ, ପିତ୍ତ, ରକ୍ତଦୋଷ ଓ ଚକ୍ଷୁରୋଗର ହିତକର ।

 

ହରଡ଼– ଟିକିଏ ଗୁରୁପାକ । ଏହାର ଡାଲି କଫ ଓ ପିତ୍ତଦୋଷ ଦୂର କରେ । କିଞ୍ଚିତ ବାୟୁବର୍ଦ୍ଧକ ।

 

ବିରି ଡାଲି– ଗୁରୁପାକ ଓ ଲାଳୁଆ । ଏହା ଖାଇଲେ ଗରମ ଏବଂ ମଳ ଓ ବାୟୁ ବୃଦ୍ଧି କରିଥାଏ । ଶୁକ୍ର, ମେହ ଓ ଅମ୍ଳପିତ୍ତ ରୋଗୀର ଏହା ପଥ୍ୟ ।

 

ମସୁର ଡାଲି– କଫ ଓ ପିତ୍ତରୋଗରେ ଉପକାର କରେ ।

 

ଚଣା– ଅଳ୍ପ ବାୟୁବର୍ଦ୍ଧକ; କଫରୋଗ, ରକ୍ତଦୋଷ ଓ ପିତ୍ତରୋଗର ହିତକାରକ ।

 

ବାଇଗଣ– ବାୟୁନାଶକାରୀ, ରକ୍ତ ଓ ଶୁକ୍ରବର୍ଦ୍ଧକ, କାଶ, ଓଟାର ଓ ଅରୁଚି ନାଶକରେ-

 

ଲାଉ– ଶୀତଳ, ରେଚକ ଓ କଫଜନକ ଅଟେ ।

 

କଖାରୁ– ପୁଷ୍ଟିକାରକ, ପିତ୍ତ ଓ କଫ ହରଣ କରେ, ଅଗ୍ନି ବୃଦ୍ଧି କରେ, ପ୍ରସ୍ରାବ ସଫାକରେ, ମୂର୍ଚ୍ଛା ଓ ଉନ୍ମାଦ ରୋଗୀର ପଥ୍ୟ ।

 

ଓଲ– ରୁଚିକର, ଅଗ୍ନିବର୍ଦ୍ଧକ, କଫହର ଓ ଅର୍ଶରୋଗୀ ପକ୍ଷରେ ପଥ୍ୟ ଅଟେ ।

 

ମୂଳା– କଞ୍ଚାମୂଳା ଅଧିକ ଖାଇଲେ ପେଟ ଫାମ୍ପେ । ଏହା ତ୍ରିଦୋଷବର୍ଦ୍ଧକ । ପୁରୁଣାମୂଳା ବିଷଦୋଷ ଓ ଶୋଥରୋଗ ହରଣ କରିଥାଏ ।

 

ଆଳୁ– ସବୁଠାରେ ଏହାର ବ୍ୟବହାର ଦେଖାଯାଏ । ଗୁରୁପାକ, ପୁଷ୍ଟିକର, ବାୟୁବର୍ଦ୍ଧକ-। ସିଝିଗଲା ପରେ ଚୋପା ନଛଡ଼ାଇ ଖାଇବା ଭଲ ।

 

ପାଚିଲା ଆମ୍ୱ– ରୁଚିଜନକ ଓ ଗୁରୁପାକ । ଏହା ବେଶୀ ଖାଇଲେ ମଳମୂତ୍ର ଅଧିକ ହୁଏ, ମାଂସ ଓ ଶୁକ୍ର ବଢ଼ାଏ, ବ୍ରଣ ହୁଏ ଏବଂ ଦେହର ତେଜ ଉଜ୍ଜ୍ୱଳ କରେ ।

 

କମଳା– ଏହା ଏକ ଉତ୍କୃଷ୍ଟ ଖାଦ୍ୟ । ଏହା ଶୀତଳ, ମଧୁର, ରୁଚିକର ଓ ବାତପିତ୍ତ ନାଶକ ।

 

ଲେମ୍ୱୁ– ସୁଗନ୍ଧ, କିଞ୍ଚିତ୍‌ ଅମ୍ଳ, ରୁଚିକର, ବାତଶ୍ଳେଷ୍ମ ନାଶକ । ଏହା ବ୍ୟବହାର କଲେ ବାନ୍ତି ବନ୍ଦ ହୋଇଯାଏ ।

 

କଦଳୀ– ଏହା ଅତି ଶ୍ରେଷ୍ଠ ଖାଦ୍ୟ ।

 

ଶାକସବଜୀ– ମଳବର୍ଦ୍ଧକ ଓ କୋଷ୍ଠ ପରିଷ୍କାରକ ।

 

ଦୁଗ୍ଧ– ଏହା ସବୁଠାରୁ ଅଧିକ ଉତ୍କୃଷ୍ଟ ଖାଦ୍ୟ । ଏଥିରେ ଜୀବନ ପକ୍ଷରେ ପ୍ରୟୋଜନୀୟ ସମସ୍ତ ଶ୍ରେଷ୍ଠ ଉପାଦାନ ରହିଅଛି । ପ୍ରତିଦିନ ଏଥିରୁ କିଛି କିଛି ପାନକରିବା ଉଚିତ ।

 

ମାଂସ– ଅତି ପୁଷ୍ଟିକର ଖାଦ୍ୟ । ଏହାକୁ ଅଳ୍ପ ଉତ୍ତାପ ଦେଇ ସିଝାଇଲେ ସହଜରେ ହଜମ ହୁଏ ଏବଂ ତହିଁରେ ଥିବା ସାର ଜିନିଷ ନଷ୍ଟ ହୁଏନାହିଁ ।

 

ମାଛ– ଏହା ମାଂସ ଅପେକ୍ଷା ସହଜରେ ଜୀର୍ଣ୍ଣହୁଏ ଓ ମାଂସପରି ପୁଷ୍ଟିକର ଖାଦ୍ୟ ।

 

ଆମ୍ଭେମାନେ ପ୍ରତିଦିନ ଯେଉଁ ସବୁ ପଦାର୍ଥ ଖାଉ ସେ ସବୁରେ ଗୁଣ ଦୋଷ କମ୍‌ ବେଶୀ ଅଛି । ସ୍ୱାସ୍ଥ୍ୟ ପକ୍ଷରେ ଯାହା ଅନୁକୂଳ, ତାହା ଖାଇବା ଉଚିତ । ବହୁତ ରାଗ, ବହୁତ ଖଟା, ବହୁତ ମିଠା ଜିନିଷ ଖାଇବା ଉଚିତ ନୁହେ । ବେଶୀ ମସଲାମିଶା ଖାଦ୍ୟ ଅତି ଅନିଷ୍ଟକର ।

 

ସବୁଦିନେ ଏକପ୍ରକାର ଖାଦ୍ୟ ଖାଇବା ଉଚିତ ନୁହେଁ । ନାନାରକମ ଖାଦ୍ୟ ଖାଇବା ଦରକାର । ଭିନ୍ନ ଭିନ୍ନ ଖାଦ୍ୟଦ୍ୱାରା ଦେହରେ ଭିନ୍ନ ଭିନ୍ନ ଜିନିଷ ତିଆରି ହୁଏ । କେଉଁଥିରେ ରକ୍ତ, କେଉଁଥିରେ ମାଂସ, କେଉଁଥିରେ ହାଡ଼ ହୁଏ । ଖାଇବା ଜିନିଷ ଭଲ କରି ଚୋବାଇ ଖାଇବ । ଚୋବାଇ ଖାଇଲେ ଖାଦ୍ୟ ସହଜରେ ହଜମ ହୁଏ ଓ ଦେହରେ ଲାଗେ । ପରିଷ୍କୃତ ଖାଦ୍ୟ ଖାଇବ । ପ୍ରତିଦିନ ଠିକ୍‌ ସମୟରେ ଖାଇବା ଦରକାର । ଖାଇବା ଠିକ୍‌ ପୂର୍ବରୁ କିମ୍ୱା ଖାଉ ଖାଉ ମଝିମଝିରେ ପାଣି ପିଇବ ନାହିଁ । ଖାଇ ସାରି କିଛି ସମୟ ବିଶ୍ରାମ ନେବା ଭଲ ।

 

ଅଫିମ, ଭାଙ୍ଗ, ଗଞ୍ଜାଇ ମଦ ପ୍ରଭୃତି ନିଶାଦ୍ରବ୍ୟମାନ ବ୍ୟବହାର କରିବା ଅସାର । ଚା, କଫି, ପିକା, ସିଗାରେଟ୍‌ ମଧ୍ୟ ସ୍ୱାସ୍ଥ୍ୟର ଅନିଷ୍ଟ କରନ୍ତି ।

 

ମିତାଚାର– ଏହା ଏକ ବଡ଼ ସଦ୍‌ଗୁଣ । ଗୀତାରେ ଭଗବାନ କହିଛନ୍ତି, ‘‘ଯେ ପରିମିତ ଆହାର ବିହାର କରନ୍ତି, ଯେ ସବୁକାର୍ଯ୍ୟରେ ପରିମିତ ଚେଷ୍ଟା କରନ୍ତି ଏବଂ ଯେ ପରିମିତ ଭାବରେ ନିଦ୍ରିତ ଓ ଜାଗ୍ରତ ହୁଅନ୍ତି, ତାଙ୍କର ଯୋଗୁଁ ସଂସାର ଦୁଃଖନାଶକ ହୁଏ ।’’ ଯେଉଁ ଲୋକ ପ୍ରକୃତ ମିତାଚାରୀ ସେ ଯେ କେବଳ ଜ୍ୱର ରୋଗରୁ ମୁକ୍ତିପାଏ ତାହାନୁହେଁ, ସମସ୍ତ ପ୍ରକାର ସାଂସାରିକ ବାଧା ବନ୍ଧନଠାରୁ ମଧ୍ୟ ଦୂରରେ ରହେ ।

 

ପୂର୍ବକାଳରେ ଋଷିମୁନିମାନେ ଶାକାନ୍ନଖାଇ ହଜାର ହଜାର ବର୍ଷ ନୀରୋଗ ଅବସ୍ଥାରେ ବଞ୍ଚିରହି ଜଗତର ମଙ୍ଗଳ ସାଧନ କରୁଥିଲେ । ଏବେ ମଧ୍ୟ ଆମେ ଦେଖୁଛୁଁ, ଆମ ଦେଶର କୋଟି କୋଟି ଲୋକ କେବଳ ଜାଉ, କାଞ୍ଜି, ଖାଇ ନୀରୋଗ ଅଛନ୍ତି ଏବଂ ନିଜ ନିଜର କାମ କରିଯାଉଛନ୍ତି-। କିନ୍ତୁ ଯେଉଁମାନଙ୍କର ଅବସ୍ଥା ଅଧିକ ସ୍ୱଚ୍ଛଳ ଏବଂ ମୂଲ୍ୟବାନ ଖାଦ୍ୟ ପାଉଛନ୍ତି, ସେମାନଙ୍କ ଭିତରୁ ଅଧିକାଂଶ ରୋଗାହୋଇ ପଡ଼ୁଛନ୍ତି । ଡାକ୍ତର-କବିରାଜମାନଙ୍କ ନିକଟକୁ ଦୌଡ଼ି ଦୌଡ଼ି ଗୁଡ଼ାଏ ଟଙ୍କାଟୋକର ଖରଚ କରୁଛନ୍ତି । ଏହାର କାରଣ କ’ଣ ? ପାଖରେ ଟଙ୍କାପଇସା ଥିବାରୁ ସ୍ୱାଦପାଇଁ ଅତି ଅଧିକ ମସଲାମିଶା ଜିନିଷ ବ୍ୟବହାର କରନ୍ତି, ଖାଦ୍ୟଜିନିଷ ରୁଚିକର ହେବାରୁ ଅତିରିକ୍ତ ଭୋଜନ କରନ୍ତି, ନାନାପ୍ରକାର ବିଳାସରେ ବୁଡ଼ି ମିତାଚାରର ବିରୁଦ୍ଧରେ ଯା’ନ୍ତି; ଯାହା ଫଳରେ ସ୍ୱାସ୍ଥ୍ୟ ନଷ୍ଟ କରନ୍ତି । ସ୍ୱାସ୍ଥ୍ୟ ବିଗାଡ଼ିବାପାଇଁ ଏକାବେଳକେ ଆହାର ନ କରିବା ବା ଦୂଷିତ ଅଖାଦ୍ୟ ଖାଇବା ଯାହା, ନାନାପ୍ରକାର ମସଲାମିଶା ଅତି ଅଧିକ ଆହାର କରିବା ତାହା । ପଶୁପକ୍ଷୀମାନେ ଅତିଭୋଜନ କରନ୍ତି ନାହିଁ, ଭୋକ କଲେ ଖା’ନ୍ତି ଏବଂ ଯେତିକି ଖାଇଲେ ଭୋକମରିବ ସେତିକି ମାତ୍ର ଖାନ୍ତି-। ତେଣୁ ମନୁଷ୍ୟମାନଙ୍କ ପରି ସେମାନେ ରୋଗରେ ପଡ଼ନ୍ତି ନାହିଁ-। ମନୁଷ୍ୟ ଏ ବିଷୟ ସେମାନଙ୍କଠାରୁ ଶିକ୍ଷା କରିବା ଉଚିତ ନୁହେଁ କି ?

 

ଆଜିକାଲି ସହରମାନଙ୍କରେ ଲୋକେ ଦିନରେ ଚାରିଥର ଖାଇବାର ଦେଖାଯାଏ । କଥା ଅଛି, ‘‘ଏକବେଳ ଖାଏ ଯୋଗୀ, ଦୁଇବେଳ ଖାଏ ଭୋଗୀ, ତିନିବେଳ ଖାଏ ମୂଲିଆବିଚାରା, ଚାରିବେଳ ଖାଏ ରୋଗୀ ।’’ ଚାରିଥର ଖାଇବାଦ୍ୱାର ପାକସ୍ଥଳୀକୁ ବିଶେଷ ଶ୍ରମ ଦିଆଯାଏ । ପେଟଫଟା ଖାଇବା ଯାହା, ଦିନରେ ଗୁଡ଼ାଏଥର ଖାଇବା ତାହା । ସ୍ୱାସ୍ଥ୍ୟବିଜ୍ଞାନ କହେ, ଚାରି ପାଞ୍ଚ ଘଣ୍ଟା ଅନ୍ତରରେ ଥରେ ଖାଇବ ଏବଂ ଦିନେ ବେଶୀ ଓ ଆଉଦିନେ ଅଳ୍ପ ଖାଇବ ନାହିଁ ।

 

ମିତ ଆହାର ପରି ମିତବ୍ୟୟ ମଧ୍ୟ ସମସ୍ତଙ୍କର ଶିକ୍ଷା କରିବା ବିଧେୟ । ଯେଉଁ ଲୋକ ଏହି ସଦ୍‌ଗୁଣ ଶିକ୍ଷା କରିଛି, ସେ ନିଶ୍ଚୟ ସୁଖୀ । ଆଜିକାଲି କେତେଲୋକ ତାହାର ସେପରି ଖର୍ଚ୍ଚ ଦେଖି ଘୃଣା ଓ ଥଟା କରନ୍ତି । ଜାଣିବା ଶୁଣିବା ଲୋକେ କହନ୍ତି, ‘ହାତେ ମାପି ଚାଖଣ୍ଡେ ଚାଲ ।’ ଯେଉଁ ଲୋକ ଟଙ୍କାଟିଏ ରୋଜଗାର କରି ବାରଅଣା ପଇସା ଖରଚ କରେ, ତା’ ପାଖରେ ଚାରିଅଣା ପଇସା ତ ବଳକା ରହିଲା । ସେଇଠି ଅଭାବ ପ୍ରଶ୍ନ ଉଠୁଛି କି ? ସେ ଲୋକ ‘ଦେହି ଦେହି’ ବୁଲିବ ବା କାହିଁକି ? ‘ଅରଜି ନ ପାରେ ମୁଣ୍ଡ, ଖାଇ ଲୋଡ଼ୁଥାଇ ତୁଣ୍ଡ’ ଏହି ନୀତିବାଦୀ ଲୋକେ ବାପାମା’ ମୁଣ୍ଡର ଝାଳ ତୁଣ୍ଡରେ ମାରି ରଖିଥିବା ଧନ ଦଉଲତ ବିଳାସ ବ୍ୟସନରେ ଉଡ଼ାଇ ମିତବ୍ୟୟୀ ଲୋକକୁ ଉପହାସ କରିଥାନ୍ତି ।

 

ସୁସ୍ଥ ଓ ସବଳ ରହି ଦୀର୍ଘଜୀବୀ ହେବାପାଇଁ ପ୍ରତ୍ୟେକ କାର୍ଯ୍ୟକୁ ସଂଯମ-ସୀମା ଭିତରେ ରଖିବାକୁ ହେବ । କର୍ମକୁଣ୍ଠ ଆଳସ୍ୟପରାୟଣ ଲୋକେ ବିଶ୍ରାମ ଓ ନିଦ୍ରାକୁ ବଡ଼ ଭଲପାନ୍ତି-। ବିଶ୍ରାମ ଲୋଡ଼ା ପଡ଼େ କାହିଁକି ? କାମ କଲେ ବା ଲେଖାପଢ଼ା କଲେ କିଛି ସମୟ ପରେ ସେ କାମ କରିବାକୁ ମନହୁଏ ନାହିଁ । ମନ ଓ ଦେହ ଅବଶ ହୋଇପଡ଼େ । ଏଣୁ ବିଶ୍ରାମ ଦରକାର ହୁଏ-। କିଛି ସମୟ ବିଶ୍ରାମ ନେଲାପରେ ମନରେ ସ୍ଫୂର୍ତ୍ତି ଓ ଦେହରେ ନୂଆ ବଳ ଆସେ-। ସେଥିପାଇଁ ମୂଲମାନଙ୍କରେ ଘଣ୍ଟାଏ କାର୍ଯ୍ୟକଲା ପରେ ଦଶ ପାଞ୍ଚ ମିନିଟ ବିଶ୍ରାମ ରଖାଯାଇଛି-

 

ନିଦ୍ରା ମଧ୍ୟ ସେହିପରି ଏକ ବିଷୟ । ଦିନରେ ୭।୮ ଘଣ୍ଟା କାମ କରିବାଦ୍ୱାରା ଶରୀର କ୍ଳାନ୍ତ ହୋଇପଡ଼େ । ନିଦ୍ରାଯୋଗେ ଶରୀର ଓ ମନ ପୂରା ବିଶ୍ରାମ ପା’ନ୍ତି । ନିଦ ଭାଙ୍ଗିଲେ ଦେହ ବେଶ୍‌ ଉଶ୍ୱାସ ଲାଗେ, ମନ ସତେଜ ହୁଏ । ନିଦ୍ରାପାଇଁ ରାତ୍ରି ହିଁ ଉପଯୁକ୍ତ ସମୟ । ପ୍ରତ୍ୟହ ରାତ୍ରି ନଟାରେ ଶୋଇ ସୂର୍ଯ୍ୟ ଉଇଁବା ଆଗରୁ ଉଠିବା ଉଚିତ । ଦିନବେଳେ ସୁସ୍ଥ ଲୋକ ଶୋଇବା ଭଲ ନୁହେଁ । ଦିନରେ ଶୋଇଲେ ଦେହ ଖରାପ ହୁଏ ଓ ଖାଇଥିବା ପଦାର୍ଥ ହଜମ ହୁଏ ନାହିଁ । ରାତ୍ରି ଉନ୍ନିଦ୍ର ରହିବା ସ୍ୱାସ୍ଥ୍ୟର ପ୍ରତିକୂଳ । କାମଧାମ, ବୁଲଚାଲ ଆଦି ମଧ୍ୟ ନିୟମିତ ହେବାକୁ ହେବ । ମିତାଚାର ଅକ୍ଷୁଣ୍ଣ ରକ୍ଷା କରିପାରିଲେ, ମନୁଷ୍ୟ କଦାଚ ରୋଗଦ୍ୱାରା ଅକାଳ ମୃତ୍ୟୁମୁଖରେ ପଡ଼ିବ ନାହିଁ ଏବଂ କର୍ମକ୍ଷେତ୍ରରେ ଅଗ୍ରସର ହେବାକୁ ପଛାଇବ ନାହିଁ ।

 

ଶରୀର ଏବଂ ତା’ର ଅଙ୍ଗପ୍ରତ୍ୟଙ୍ଗର ଯତ୍ନ– ‘ଶରୀର ମାଦ୍ୟଂ ଖଳୁ ଧର୍ମସାଧନଂ’ । ଦୁନିଆରେ କାମ କରିବାଲାଗି ଶରୀର ସୁସ୍ଥ ରହିବା ଦରକାର । ତା’ର ସୁରକ୍ଷା ନିମନ୍ତେ ପରିଷ୍କାର ମାଟି, ନିର୍ମଳ ଜଳ, ବିଶୁଦ୍ଧ ବାୟୁ, ପରିଷ୍କାର ତେଜ ଏବଂ ଖୋଲା ସ୍ଥାନ ଆବଶ୍ୟକ । ଏ ସବୁ ପ୍ରଚୁର ପରିମାଣରେ ମିଳିଲେ ଶରୀର ସୁସ୍ଥ ଓ ନୀରୋଗ ରହେ ।

 

ଚର୍ମ, ଅସ୍ଥି, ରକ୍ତ, ମାଂସରେ ଦେହ ଗଢ଼ା । ଏ ସବୁ ସୁସ୍ଥ ଓ ଦୃଢ଼ ଥିଲେ ମନୁଷ୍ୟ ଉତ୍ସାହରେ କାର୍ଯ୍ୟକରେ ।

 

ଚର୍ମ– ଏହା ଶରୀରକୁ ଢାଙ୍କି ରଖିଅଛି । ଏଥିରେ ଅସଂଖ୍ୟ ଲୋମକୂପ ଦେଖାଯାଏ, ଏଗୁଡ଼ିକ ଶରୀର ଭିତରର ମଇଳା ବାହାରକୁ ଆସିବାପାଇଁ ଗୋଟିଏ ଗୋଟିଏ ରାସ୍ତା । ଝାଳରେ ମଇଳାଥାଏ । ଲୋମକୂପ ଗୁଡ଼ିକର ମୁହଁ ବନ୍ଦ ହୋଇଗଲେ ଦେହରୁ ଝାଳ ବହି ଆସିପାରେ ନାହିଁ, ତେଣୁ ନାନାବିଧ ରୋଗ ଜନ୍ମେ । ଝାଳ ଶୁଖିଗଲେ କିମ୍ୱା ବାହାରର ଧୂଳି ମାଟିଲାଗି ମଳିରୂପେ ଜମା ହେଲେ ଦେହ ଅପରିଷ୍କୃତ ହୁଏ । ତାହାଦ୍ୱାରା କାଛୁ, ଯାଦୁ ପ୍ରଭୃତି ଚର୍ମରୋଗମାନ ଦେଖାଦିଏ ଓ ଦେହ ଗନ୍ଧାଏ । ଏଣୁ ପ୍ରତିଦିନ ଗାଧୁଆ ପାଧୁଆ କରି ଦେହର ଚର୍ମକୁ ସଫା ରଖିବାକୁ ହେବ ।

 

ପ୍ରତ୍ୟହ ପରିଷ୍କାର ଜଳରେ ଗାଧୋଇବ । ସକାଳେ ଓ ସଞ୍ଜରେ ଦୁଇଥର ଗାଧୋଇବା ଭଲ । ସକାଳେ ତ ଥରେ ଗାଧୋଇବ; ଦିନରେ କାମଧାମ କରିବା ଯୋଗେ ଯେଉଁ ଧୂଳିମଳି ଦେହରେ ଲାଗିଥାଏ ସନ୍ଧ୍ୟାରେ ଗାଧୋଇଲେ ତାହା ଧୋଇ ହୋଇଯାଏ । ମୋଟା ରଗଡ଼ିଆ ଗାମୁଛା ବା ତଉଲିଆରେ ଦେହକୁ ଭଲରୂପେ ଘଷାଘଷି କରି ସ୍ନାନ କରିବ । ସେଥିରେ ଦେହରେ ଲାଗିଥିବା ତେଲ ଓ ମଳି ଛାଡ଼ିଯିବ । ତେଲ ଘଷି ହୋଇ ଗାଧୋଇଲେ ମଇଳା ରହେନାହିଁ ଓ ସର୍ଦ୍ଦି ହୁଏନାହିଁ । ଅନେକେ ପ୍ରତିଦିନ ଗାଧୋଇଲାବେଳେ ସାବୁନ୍‌ ବ୍ୟବହାର କରନ୍ତି, ତାହା ଭଲ ନୁହେଁ । ସପ୍ତାହରେ ଥରେ ବା ଦୁଇଥର ସାବୁନ୍‌ରେ ଦେହ ସଫା କରିପାର । କିନ୍ତୁ ଶସ୍ତା ଓ ଖରାପ ସାବୁନ୍ ଆଦୌ ବ୍ୟବହାର କରିବ ନାହିଁ । ଭୋଜନ ବା ଦୈହିକ ପରିଶ୍ରମର ଠିକ୍‌ ପରେ ସ୍ନାନ କରିବା ବିଧେୟ ନୁହେଁ । ଗାଧୋଇ ସାରି ଶୁଖିଲା ତଉଲିଆରେ ଦେହ ଓ ମୁଣ୍ଡକୁ ଭଲଭାବରେ ପୋଛାପୋଛି କରିବ । ବହୁସମୟ ଦେହରେ ଓଦାଲୁଗା ରଖିବ ନାହିଁ ।

 

ମୁଣ୍ଡ– ପ୍ରତିଦିନ ପାନିଆରେ ମୁଣ୍ଡକୁଣ୍ଡାଇ ବାଳ ସଫା ରଖିବ । କୁଣ୍ଡାଇବାଦ୍ୱାରା ଉକୁଣି, ରୁପି ହେବ ନାହିଁ ବାଳ ସୁନ୍ଦର ଓ ଚିକ୍କଣ ହେବ । ବାଳମୂଳରେ ବହୁତ ରକ୍ତ ସଞ୍ଚାର ହେବ-। ସେଥିଯୋଗୁଁ ବାଳ ଦୀର୍ଘଦିନ କଳା ରହିବ ଓ ଉପୁଡ଼ିବ ନାହିଁ । ପ୍ରତିଦିନ ସ୍ନାନ ସମୟରେ ମୁଣ୍ଡ ଧୋଇବ ଓ ପରେ ମୁଣ୍ଡ କୁଣ୍ଡାଇବ । ପାନିଆକୁ ପ୍ରତ୍ୟହ ପରିଷ୍କାର ରଖିବା ବିଧେୟ ।

 

ଆଖି– ଏହା ଯେପରି ଅତି ସୂକ୍ଷ୍ମ, ସେହିପରି ଅତି ମୂଲ୍ୟବାନ । ଏହାପ୍ରତି ଆମର ଅଧିକ ଯତ୍ନ ଦରକାର । ପ୍ରକୃତ ଯତ୍ନ ଅଭାବରୁ ଆଖିଧରା, ନିକଟଦୃଷ୍ଟି ପ୍ରଭୃତି ନାନାପ୍ରକାର ଚକ୍ଷୁରୋଗ ଦେଖାଯାଉଅଛି । ସକାଳେ ଶେଯରୁ ଉଠିବାମାତ୍ରେ ଥଣ୍ଡା ଓ ସଫା ପାଣିରେ ଆଖିକୁ ଧୋଇବ । ଦିନ ମଧ୍ୟରେ ଆଉ ଦୁଇ ଚାରିଥର ମଧ୍ୟ ଧୋଇବା ଉଚିତ । ଆଖି କୁଣ୍ଡେଇ ହେଲେ ଅପରିଷ୍କାର ହାତରେ କିମ୍ୱା ଟାଣଭାବରେ ମନ୍ଥିବନାହିଁ । ପବନରେ ଉଡ଼ିଆସି ମଳି ଧୂଳି ଯେପରି ଆଖି ଭିତରକୁ ନଯାଏ ସେଥିପ୍ରତି ବରାବର ନଜର ରଖିବ । ମଳିଧୂଳି ଲାଗି ଆଖି ଖରାପ ହୁଏ । ଟାଣ ଭାବରେ ମନ୍ଥିଲେ ଆଖିର ସରୁ ସରୁ ସ୍ନାୟୁ ଛିଣ୍ଡି ନଷ୍ଟ ହୋଇଯାଏ । କୌଣସି ଚକ୍ଷୁରୋଗ ଦେଖାଗଲେ ସଙ୍ଗେ ସଙ୍ଗେ ଜଣାଶୁଣା ଡାକ୍ତରଙ୍କଦ୍ୱାରା ଚିକିତ୍ସା କରାଇବ ।

 

ନାକ– ନାକବାଟେ ନିଶ୍ୱାସ ନେବାର ତୁମେମାନେ ଜାଣ । ନାକ ସଫା ନଥିଲେ ବାହାରର ଯେଉଁ ପବନ ନାକଦେଇ ଦେହକୁ ଯାଏ ତାହା ଦୂଷିତ ହୋଇଯାଏ । ଏହାଦ୍ୱାରା ରୋଗ ହୁଏ । ସର୍ଦ୍ଦି ହେଲେ ଶିଙ୍ଘାଣି ପୋଛି ନାକ ପରିଷ୍କାର କରିବ । ଶିଙ୍ଘାଣି ନାକ ଭିତରେ ଜମି ରହିଲେ ପବନ ସେହି ବାଟଦେଇ ଆଉ ଯା’ଆସ କରିପାରେ ନାହିଁ, ପାଟିବାଟେ ଯିବାଆସିବା କରେ । ଏହାଦ୍ୱାରା ବହୁପ୍ରକାର ରୋଗ ଜନ୍ମେ । ନାକରେ କାଠି ବା କୁଟା ପୂରାଇ ଛିଙ୍କିବାକୁ ଚେଷ୍ଟା କରିବ ନାହିଁ, ଏହା କରିବାଦ୍ୱାରା କ୍ଷତି ହୁଏ । ନିଶ୍ୱାସ ଯିବା ନିମନ୍ତେ ନାସିକାରନ୍ଧ୍ର ସବୁବେଳେ ଖୋଲା ଓ ସଫା ରହିବା ଉଚିତ ।

 

କାନ– ଅନେକ ସମୟରେ କାନରେ ପୂଜ ହୁଏ ଓ କାନ ଟଣାବିନ୍ଧା କରେ । ତାହା କାହିଁକି ହୁଏ ଜାଣ ? କାନରେ ଧୂଳିମଳି ଆଦି ଦୂଷିତ ପଦାର୍ଥ ପ୍ରବେଶ କରିବା ଫଳରେ ସେ ରୋଗହୁଏ । ଏଣୁ କାନରେ ଧୂଳିମାଟି ଯେପରି ନ ପଶେ ଏବଂ ସବୁବେଳେ ତାହା ଯେପରି ସଫାରହେ ତାହା କରିବ । ମଝିରେ ମଝିରେ ଖଣ୍ଡିଏ କାଠିର ଅଗରେ ତୁଳାଗୁଡ଼ାଇ କାନଭିତର ସଫା କରିବ । ଖାଲି କାଠି ପୂରାଇ କୁଣ୍ଡାଇଲେ କର୍ଣ୍ଣଗିରି ଛିଣ୍ଡିଯାଏ ଓ ତାହାଦ୍ୱାରା ନାନାଯନ୍ତ୍ରଣା ହୁଏ । ଲୋକ ବଧିର ହୋଇଯାଏ ମଧ୍ୟ । ମଳିବସି ଶୁଖିଯାଇଥିଲେ କାନରେ ତେଲ ପକାଇବ । ଏଥିରେ ତାହା ତରଳିଯାଇ ସହଜରେ ବାହାରିଆସେ ।

 

ଦାନ୍ତ– ପ୍ରତିଦିନ ସକାଳେ ଦାନ୍ତ ଘଷି ସଫା କରିବ । ଶାଳ, ସାହାଡ଼ା, ନିମ୍ୱ ବା କରଞ୍ଜ କାଠିରେ ଘଷିବା ଭଲ । ଏଥିରେ ଦାନ୍ତ ପରିଷ୍କାର ହୁଏ ଓ ଦେହ ଭଲରହେ । କେହି କେହି କାଠିକୁ ଟିକିଏ ଚୋବାଇଦେଇ ଥରେଅଧେ ଏପାଖ ସେପାଖ କରିଦେଇ ଫିଙ୍ଗିଦିଅନ୍ତି । ଏହାଦ୍ୱାରା ଦାନ୍ତର ମଳି ଭଲଭାବେ ଯାଏନାହିଁ । ଏଣୁ କାଠିକୁ ଉତ୍ତମରୂପେ ଚୋବାଇ ନରମକରି ତହିଁରେ ତଳଉପର ଓ ଏପାଖ ସେପାଖ କରି କିଛି ସମୟ ଘଷିଲେ ଦାନ୍ତର ମଇଳା ଦୂର ହୋଇଯାଏ ।

 

ଖାଦ୍ୟ ଚୋବାଇଲାବେଳେ ଖାଦ୍ୟର କେତେକ ଅଂଶ ଦାନ୍ତମୂଳରେ ଜମିରହେ । କିଛି ସମୟ ପରେ ସେଗୁଡ଼ିକରେ ଜୀବାଣୁ ପଶି ତାକୁ ପଚାଇ ଦିଅନ୍ତି । ଏଣୁ ଖାଇସାରିଲା ପରେ ମଧ୍ୟ ଦାନ୍ତସନ୍ଧି ସଫା କରିବାପାଇଁ ଘଷିବା ଭଲ । ଦାନ୍ତ ମୂଳରେ ମଳିରହି ମୁହଁ ଦୁର୍ଗନ୍ଧ କରେ । ସେ ମଇଳା ପେଟ ଭିତରକୁ ଗଲେ ନାନାରକମ ପେଟରୋଗ ହୁଏ । ମଇଳାଯୋଗୁ ଦାନ୍ତମୂଳେ ପୂଜ ଓ ଘା ହୁଏ ।

 

ଅଙ୍ଗାର, ପାଉଁଶ ପ୍ରଭୃତିରେ ଦାନ୍ତ ଘଷିବା ଭଲନୁହେଁ । ଗୁଡ଼ାଖୁ ଆଦୌ ବ୍ୟବହାର କରିବନାହିଁ । ଯେଉଁମାନେ ବ୍ରସ୍‌ଯୋଗେ ବିଶୁଦ୍ଧ ପାଉଡ଼ର ବ୍ୟବହାର କରନ୍ତି, ସେମାନେ ଦାନ୍ତଘଷି ସାରିବା ପରେ ବ୍ରସ୍‌ଟିକୁ ପାଣିରେ ଧୋଇବାକୁ ଯେପରି ଭୁଲିଯିବେ ନାହିଁ । କୌଣସି ଖାଦ୍ୟଜିନିଷ ବହୁ ସମୟ ପାଟିରେ ଜାକିଧରିବ ନାହିଁ । କାରଣ, ତାହାଦ୍ୱାରା ଦାନ୍ତମୂଳେ ମଇଳା ଜମିରହେ ।

 

ଜିଭ– ଆମେ ଯାହା ଖାଉ ସେଥିରୁ ଅନେକ ଅଂଶ ଜିଭଉପରେ ଲାଗିରହେ । ପାନବୋଳ ଏକ ଭୟଙ୍କର ମଇଳା । ତାହା ରହିଲେ ଜିଭ ଖରାପ ହୁଏ । ଏଣୁ ଜିଭକୁ ମଧ୍ୟ ଉତ୍ତମରୂପେ ପରିଷ୍କାର କରିବା ଦରକାର । ଦାନ୍ତ ଘଷିଲା ବେଳେ କାଠିରେ ଜିଭକୁ ଭଲଭାବରେ କୋରି ମଇଳା ଦୂର କରିବ । ଯେଉଁମାନେ ଧୂମ୍ରପାନ କରନ୍ତି, ପାନକରିବା ପରେପରେ ଜିଭ ସଫା କରିବା ବିଧେୟ ।

 

ନଖ– ନଖ ଭିତରେ ମଳିରହେ । ଏଣୁ ନଖକୁ ବଢ଼ାଇବ ନାହିଁ । ଅନ୍ତତଃ ସାତଦିନରେ ଥରେ ନଖକାଟି ସଫା କରିବା ଉଚିତ । କେହି କେହି ଦାନ୍ତରେ ନଖ କାମୁଡ଼ି ଛିଣ୍ଡାନ୍ତି । ଏହାଦ୍ୱାରା ନଖର ମଇଳା ପେଟକୁ ଯାଏ ଓ ରୋଗ ଜାତ ହୁଏ । ଏହା ଏକ ମନ୍ଦ ଅଭ୍ୟାସ ।

 

ପୋଷାକ ପରିଚ୍ଛଦ– ଦେହକୁ ନୀରୋଗ ରଖିବାପାଇଁ ଦେହ ଓ ତା’ର ଅଙ୍ଗପ୍ରତ୍ୟଙ୍ଗର ପରିଷ୍କାର ପ୍ରତି ଆମକୁ ଯେପରି ଦୃଷ୍ଟି ଦେବାକୁ ହେବ, ଦେହର ପୋଷାକ ପରିଚ୍ଛଦ ପରିଚ୍ଛନ୍ନ ରଖିବାଲାଗି ମଧ୍ୟ ସେହିପରି ଯତ୍ନ ନେବାକୁ ହେବ ।

 

ଅନ୍ନ ଓ ବସ୍ତ୍ର ଏ ଦିଓଟି ଆମର ନିତ୍ୟ ବ୍ୟବହାର୍ଯ୍ୟ ଜିନିଷ । ଏଥିରୁ ଗୋଟିକର ଅଭାବରେ ଆମେମାନେ କଦାପି ଚଳିପାରିବା ନାହିଁ । ବଞ୍ଚି ରହିବା ନିମନ୍ତେ ଅନ୍ନ ଯେମିତି ଆବଶ୍ୟକ, ଲଜ୍ଜାନିବାରଣ ଏବଂ ଶରୀରକୁ ଥଣ୍ଡା, ଗରମ ଓ ଆଘାତରୁ ରକ୍ଷାକରିବା ଲାଗି ବସ୍ତ୍ର ମଧ୍ୟ ସେହିପରି ଦରକାର । ଆମେମାନେ ବସ୍ତ୍ରକୁ ଧୋତି, ଚାଦର, ଗାମୁଛା, ତଉଲିଆ, କୋଟ୍‌, କମିଜ, ଗେଞ୍ଜି ପ୍ରଭୃତି ନାନାରୂପରେ ବ୍ୟବହାର କରୁ । ଦେହରେ ବ୍ୟବହୃତ ବସ୍ତ୍ରକୁ ପୋଷାକ କୁହାଯାଏ ।

 

ପୋଷାକ ଗୁଡ଼ିକ ଦେହର ଝାଳ ଓ ବାହାରର ଧୂଳିମଳି ଲାଗି ଚାରିପାଞ୍ଚ ଦିନପରେ ମଇଳା ହୋଇଯାଏ । ମଇଳା ଲୁଗାପଟା ବ୍ୟବହାର କଲେ ଯାଦୁ, କୁଣ୍ଡିଆ ଆଦି ନାନାପ୍ରକାର ଚର୍ମରୋଗ ଦେଖାଦିଏ । ଏଣୁ ସପ୍ତାହରେ ଥରେ ପିନ୍ଧିବା ପୋଷାକମାନ ପରିଷ୍କାର କରିବାକୁ ହେବ ଏବଂ ପ୍ରତିଦିନ ସେଗୁଡ଼ିକ ଖରା ବା ପବନରେ ଶୁଖାଇବା ଭଲ । ଗୋଟିଏ ମାତ୍ର ପୋଷାକ ସବୁବେଳେ ପିନ୍ଧିବା ଉଚିତ ନୁହେଁ । ଅଭାବରୁ ଅନେକେ ଗୋଟିଏ ଗୋଟିଏ ଲୁଗାରେ ଚଳନ୍ତି । ସେମାନେ ପ୍ରତ୍ୟହ ଲୁଗାଟିକୁ ଧୋଇ ପରିଷ୍କାର କରିବା ଉଚିତ । ଅନ୍ୟର ଲୁଗାପଟା କଦାପି ବ୍ୟବହାର କରିବ ନାହିଁ ।

 

ବିଛଣାପତ୍ର– ଶୋଇବା ନିମନ୍ତେ ମସିଣା, ବିଛଣା, କନ୍ଥା, ରେଜେଇ, ଚାଦର ପ୍ରଭୃତି ଲୁଗାପଟା ଆବଶ୍ୟକ ହୁଏ । ପରିଧେୟ ବସ୍ତ୍ର ଯେପରି ଝାଳ ଓ ମଇଳାଲାଗି ଦୂଷିତ ହୁଏ, ବିଛଣାପତ୍ର ମଧ୍ୟ ବ୍ୟବହାର କରିବାଦ୍ୱାରା ସେହିପରି ଅପରିଷ୍କୃତ ହୁଏ । ଅପରିଷ୍କୃତ ଶେଯରେ ଭଲ ନିଦ ହୁଏନାହିଁ । ସେଥିରେ ପିମ୍ପୁଡ଼ି, ଛାରପୋକ ଆଦି ନାନାରକମର ରୋଗ ଜୀବାଣୁ ଜାତ ହୁଅନ୍ତି । ସେମାନେ କାମୁଡ଼ିବା ଦ୍ୱାରା ରୋଗ ଜାତହୁଏ, ଏଣୁ ବ୍ୟବହୃତ ବିଛଣାପତ୍ର ମଧ୍ୟ ଠିକ୍‌ ସମୟରେ ସଫା କରିବାକୁ ହେବ । ପିନ୍ଧା ଲୁଗାପଟା ଯେଡ଼େ ସହଜରେ ଧୁଆଯାଇପାରେ କିମ୍ୱା ଧୋବାଘରେ ପଡ଼ିପାରେ, ସେହିପରି ବିଛଣାପତ୍ର ଗୁଡ଼ିକ ପରିଷ୍କୃତ ହେବାର ସୁବିଧା ନାହିଁ । ମାତ୍ର ତାହା ଅନ୍ୟରୂପରେ ପରିଷ୍କାର କରିବାର ସୁବିଧା ଅଛି । ସେଗୁଡ଼ିକୁ ପ୍ରତିଦିନ ଖରାରେ ଶୁଖାଇବା ଦ୍ୱାରା ଏବଂ ପବନ ମୁହଁରେ ରଖିବାଦ୍ୱାରା ପରିଷ୍କୃତ ହୋଇପାରେ । ଖରାରେ ରୋଗଜୀବାଣୁ ମରିଯାନ୍ତି ଓ ଛାରପୋକ ରହିପାରନ୍ତି ନାହିଁ ।

 

ଯଥାସମୟରେ ଲୁଗାପଟା ଧୋବାଘରେ ପକାଇବ; ନଚେତ୍‌ ନିଜେ ଧୋଇ ସଫା କରିବ । ଶୁଖିଲା କଦଳୀଗଛର ଚୋପାକୁ ପୋଡ଼ି ସେଥିରେ ଲୁଗାକୁ ସଫାକଲେ ସୁନ୍ଦର ଧୋବ ଦିଶେ । ସାବୁନ୍ କିମ୍ୱା କ୍ଷାରରେ ଲୁଗା ପରିଷ୍କାର କରାଯାଇପାରେ ।

 

ଶରୀରର ଉତ୍ତାପରକ୍ଷା ବସ୍ତ୍ର ବ୍ୟବହାରର ଅନ୍ୟ ଏକ କାରଣ । ତେଣୁ ଶୀତଦିନରେ ଗରମ ପୋଷାକ ଓ ଗ୍ରୀଷ୍ମକାଳରେ ସୂତାର ପୋଷାକ ବ୍ୟବହାର କରିବା ବିଧେୟ । ଧୋବଲୁଗାପଟା ପିନ୍ଧିବା ଅତି ଭଲ ।

 

ବ୍ୟକ୍ତିଗତ ଓ ସାମାଜିକ ପରିଚ୍ଛନ୍ନତା– ବ୍ୟକ୍ତିଗତ ପରିଚ୍ଛନ୍ନତା ସମ୍ପର୍କରେ ଦେହ, ମୁଣ୍ଡ, ଆଖି, କାନ, ନାକ, ନଖ, ଲୁଗାପଟା ସବୁ କିପରି ସଫା କରିବାକୁ ହେବ, ପୂର୍ବବର୍ତ୍ତୀ ପରିଚ୍ଛେଦମାନଙ୍କରେ ବୁଝାଇ ଦିଆଯାଇଅଛି । ବର୍ତ୍ତମାନ ବାସନକୁସନ ସଫାରଖିବା, ମଳମୂତ୍ର ତ୍ୟାଗ, ଝାଡ଼ାଫେରିବାର ସମୟ ଓ ସ୍ଥାନ, ଶୌଚ ଆଦି ସମ୍ୱନ୍ଧରେ ଆଲୋଚନା କରାଯାଉଅଛି ।

 

ବାସନକୁସନ– ଆମ୍ଭେମାନେ ଯେଉଁସବୁ ବାସନକୁସନ ବ୍ୟବହାର କରୁ, ସେଗୁଡ଼ିକ ସବୁବେଳେ ପରିଷ୍କୃତ ରହିବା ଉଚିତ । କେହି କେହି ଅଇଁଠା ବାସନକୁ ବହୁସମୟ ପକାଇ ରଖନ୍ତି । ଏହାଦ୍ୱାରା ସେଥିରେ ମାଛି ବସନ୍ତି । ମାଛିଦ୍ୱାରା କଲେରା ଆଦି ସଂକ୍ରାମକ ରୋଗମାନ ଜାତହୁଏ । ଅମଜା ବାସନ ଦୁର୍ଗନ୍ଧ କରେ । ଦୁର୍ଗନ୍ଧଯୁକ୍ତ ବାସନରେ ଖାଇଲେ ଦେହ ଖରାପ ହୁଏ । ଏଣୁ ଖାଇସାରିବା ପରେ ପରେ ଅଇଁଠା ବାସନଗୁଡ଼ିକୁ ମାଜି ପରିଷ୍କାର କରିବ । ମଜା ଶେଷରେ ବାସନଗୁଡ଼ିକୁ ଶୁଭ୍ର ତଉଲିଆରେ ଭଲରୂପେ ପୋଛାପୋଛି କରିଦେବ । ମଜାବାସନମାନ ତଳେ ଉବୁଡ଼ାଇ ରଖିବ ନାହିଁ, ଗୋଟିଏ କାଠପଟା ଉପରେ ସଜାଇ ରଖିବା ଭଲ ।

 

ପାଣି ଲାଗିଥିଲେ ଧୂଳିମାଟି ପଡ଼ି ବାସନ ଦୁର୍ଗନ୍ଧ କରିବ ଓ କଳଙ୍କି ଯିବ । ସେଥିରେ ଖାଇଲେ ଦେହର କ୍ଷତି ହେବ । ଆହୁରି ଭଲକଥା ଏହି ଯେ, ବାସନଗୁଡ଼ିକରେ ଖାଇବା ପରେ ଯେପରି ସେଗୁଡ଼ିକୁ ପରିଷ୍କୃତ ରଖିବା ନିମନ୍ତେ ଭଲରୂପେ ଧୋଇବାକୁ ହେବ, ସେହିପରି ଖାଇବା ପୂର୍ବରୁ ମଧ୍ୟ ସେଗୁଡ଼ିକୁ ଥରେ ସଫାକରିବା ବିଧେୟ ।

 

ବାସନ ମାଜି ସଫା କରିବାପାଇଁ ପାଉଁଶ ବ୍ୟବହାର କରାଯାଏ । ଅଜ୍ଞ ମାଇପି ଲୋକେ ବାସନ ମଜା ପାଉଁଶକୁ ଗୋଟିଏ ନିର୍ମଳ ଜାଗାରେ ନ ଥୋଇ, ଯେଉଁଠି ସେଠି ତଳେ ରଖିଦେଇ ତହିଁରେ ମାଜନ୍ତି । ଏହାଦ୍ୱାରା ପାଉଁଶ ଦୂଷିତ ହୋଇଯାଏ । ସେଥିରେ ମାଜିଲେ ବାସନ ମଧ୍ୟ ଖରାପ ହୁଏ । ଏଣୁ ଶୁଦ୍ଧ ପାଉଁଶକୁ ଶୁଭ୍ରସ୍ଥାନରେ ରଖି ତହିଁରେ ବାସନକୁସନ ପରିଷ୍କାର କରିବ । ପିତଳ ଢାଳ, ଗରା, ହାଣ୍ଡି ଆଦି ପାତ୍ରମାନ ତିନ୍ତୁଳି ବା ତିନ୍ତୁଳି ପତ୍ରରେ ମାଜିଲେ ସଫାହୁଏ । କାଚପାତ୍ର ବା ଚିନାପାତ୍ର କ୍ଷାରସୋଡ଼ା ଓ ଗରମ ପାଣିରେ ଭଲ ସଫା ହୁଏ । ରନ୍ଧନପାତ୍ର ପ୍ରତ୍ୟେହ ସଫା କରିବ । ଖାଦ୍ୟଦ୍ରବ୍ୟଗୁଡ଼ିକୁ ସର୍ବଦା ଘୋଡ଼ାଇ ରଖିବ ।

 

ବାସନକୁସନ ପରି ରନ୍ଧାଘର ମଧ୍ୟ ପ୍ରତ୍ୟହ ପରିଷ୍କୃତ ରଖିବ । ସେ ଘରେ ଏଣୁତେଣୁ ଗୁଡ଼ାଏ ପଦାର୍ଥ ରଖିବା ଅନୁଚିତ । ରୋଷାଇ ଘରଭିତରେ ଖାଇବା ବା ଶୋଇବା ଆଦୌ ଉଚିତ ନୁହେଁ । ସେ ଘରେ କୌଣସି ମଇଳାପଦାର୍ଥ ରହିଲେ ତହିଁରୁ ମାଛି ଓ ଅନ୍ୟାନ୍ୟ ପୋକଜୋକ ଜାତହୋଇ ଖାଦ୍ୟପଦାର୍ଥକୁ ଦୂଷିତ କରିପକାନ୍ତି । ରନ୍ଧାଧୂଆଁ ବଡ଼ ଖରାପ, ଏଣୁ ରୋଷାଇଘର ମଧ୍ୟରୁ ଧୂଆଁ ବାହାରିଯିବାକୁ ଧୂଆଁନଳା କିମ୍ୱା ଝରକା ରଖିବ । ରୋଷାଇ କରିବା ବ୍ୟକ୍ତି ସୁସ୍ଥ ଓ ପରିଷ୍କୃତ ରହିବା ଉଚିତ ।

 

ମଳମୂତ୍ର ତ୍ୟାଗ– ମଳ ଓ ମୂତ୍ର ଦୁଇଟିଯାକ ଜିନିଷ ବଡ଼ ଖରାପ ମଇଳା । ଆମେ ଯାହା ଖାଉଁ ଓ ପିଉଁ ତାହାର କେତେକ ଅଂଶ ଆମ ରକ୍ତରେ ମିଶେ-ଆଉ କେତେ ଅଂଶ ମଳମୂତ୍ର ଆକାରରେ ବାହାରିଯାଏ । ଆବର୍ଜନା ଅଂଶ ବାହାରି ନ ଗଲେ ପେଟ ଖରାପ ହୁଏ, ଭୋକ ହୁଏନାହିଁ ଓ ତହିଁରୁ ଅଜୀର୍ଣ୍ଣ, ପେଟବ୍ୟଥା, ବାୟୁରୋଗ, ମୂତ୍ରଝାଡ଼ା ପ୍ରଭୃତି ବେମାରି ଜନ୍ମେ । ତେଣୁ ଠିକ୍‌ ସମୟରେ ମଳମୂତ୍ର ତ୍ୟାଗ କରିବ ।

 

ଦିନରେ ଦୁଇଥର ଝାଡ଼ାଫେରିବାର ଅଭ୍ୟାସ କରିବା ବିଧେୟ । ଏଥିପାଇଁ ସକାଳ ଓ ସନ୍ଧ୍ୟା ଉପଯୁକ୍ତ ସମୟ । କୋଷ୍ଠକାଠିନ୍ୟ ଯୋଗୁଁ ଯେଉଁମାନଙ୍କର ସକାଳେ ଝାଡ଼ା ହୁଏ ନାହିଁ, ସେମାନେ ପାଣିପିଇ କିମ୍ୱା ଅନ୍ୟ କୌଣସି ସୁସ୍ଥ ଉପାୟରେ ଝାଡ଼ା କରାଇନେବା ଉଚିତ । ଫଳ, ପରିବା ଶାଗ ଖାଇଲେ କୋଷ୍ଠକାଠିନ୍ୟ ଦୂର ହୁଏ ।

 

ଅଜ୍ଞଲୋକେ ଯେଉଁଠି ସେଠି ମଳତ୍ୟାଗ କରିବସନ୍ତି । ଏହା ଅତି ଖରାପ କଥା । ନଈକୂଳ, ପୋଖରୀହୁଡ଼ା, ରାସ୍ତାକଡ଼ରେ ଝାଡ଼ାଫେରିବା ଦ୍ୱାରା ଲୋକେ ବ୍ୟବହାର କରୁଥିବା ଜଳ ଓ ବାୟୁ ଦୂଷିତ ହୁଏ । ବର୍ଷାରେ ମଳ ଧୋଇହୋଇ ବା ଲୋକଙ୍କ ପାଦରେ ଲାଗି ନଈ, ପୋଖରୀରେ ମିଶେ । ଦାଣ୍ଡ ବାରିର ମଳରେ ମାଛି ବସି ଆମ ଖାଦ୍ୟରେ ଆସି ବସେ । ତେଣୁ ମଳତ୍ୟାଗ ନିମନ୍ତେ ଘରଠାରୁ ଦୂରରେ ନିର୍ଦ୍ଦିଷ୍ଟ ଜାଗା କରିବା ଉଚିତ ।

 

ଖାତ ପାଇଖାନା ତିଆରି କରିବା ନିମନ୍ତେ କିଛି ପଇସାଲାଗେ ନାହିଁ । ନିର୍ଦ୍ଦିଷ୍ଟ ଜାଗାରେ ଏକ ଲମ୍ୱା ଓ ଗଭୀର ଖାତ ଖୋଳିବ । ଏହାର ଦୁଇକଡ଼ରେ ଖଣ୍ଡେ ଖଣ୍ଡେ ପଟାପକାଇ ତହିଁରେ ଗୋଡ଼ ରଖି ଝାଡ଼ାଫେରିବ । ପଟା ନମିଳିଲେ ଇଟା ବା ପତଳା ପଥର ପକାଇଲେ ଚଳେ । ଝାଡ଼ା ଫେରିସାରିଲା ପରେ ମୁଠାଏ ପାଉଁଶ କିମ୍ୱା ମାଟିରେ ମଳ ଘୋଡ଼ାଇ ଦେବ । ଏହାଦ୍ୱାରା ମଳରେ ମାଛି ବସିପାରିବ ନାହିଁ ଏବଂ ତାହା ଦିନେ ଦୁଇଦିନରେ ମାଟି ପାଲଟିଯିବ । ଏହା ସୁନ୍ଦର ସାରହେବ-। ତହିଁରେ ଗଛ ଲଗାଅ କିମ୍ୱା ତାହା ଉଠାଇନେଇ ବଗିଚା ବା କ୍ଷେତରେ ଦିଅ ।

 

ମୂତ୍ର ମଧ୍ୟ ଏଠିସେଠି ତ୍ୟାଗ କରିବା କ୍ଷତିକାରକ । ବାଟଘାଟରେ ପ୍ରସ୍ରାବ କରିବାଦ୍ୱାରା ଚାଲିଲାବେଳେ ଦୁର୍ଗନ୍ଧ ହୁଏ; ଏହାଦ୍ୱାରା ରୋଗଜାତ ହୁଏ । ଆମ ଦେଶରେ ବହୁତ ଲୋକ ଅଗଣାରେ କୁଣ୍ଡକରି ତହିଁରେ ପ୍ରସ୍ରାବ କରନ୍ତି । ତାହା ଉଚିତ ନୁହେଁ । ମୂତ୍ରର ଦୁର୍ଗନ୍ଧ ଗୃହଭିତରର ବାୟୁକୁ ଦୂଷିତ କରିପକାଏ । ତାହା ନିଶ୍ୱାସ ଆକାରରେ ପେଟ ଭିତରକୁ ଯାଏ ।

 

ମୂତ୍ରତ୍ୟାଗ ପାଇଁ ମଧ୍ୟ ମୂତ୍ରଖାନା ଆବଶ୍ୟକ । ଘରଠାରୁ ଟିକିଏ ଦୂରରେ ମୂତ୍ରଖାନା ତିଆରି କରିବ । ପ୍ରସ୍ରାବ ଶେଷରେ ସେଥିରେ ଗୁଣ୍ଡାମାଟି କିମ୍ୱା ପାଉଁଶ ପକାଇବ ।

 

ଶୌଚ– ଝାଡ଼ା ଫେରିଲାପରେ ଯେଉଁଠି ସେଠି ଶୌଚ ହେବ ନାହିଁ । ପାଇଖାନା ଖାତରେହିଁ ଶୌଚ କରିବ । ବାଲ୍‌ତି ପାଇଖାନା ହୋଇଥିଲେ ପଛ ବାଲ୍‌ତିରେ ମଳ ଓ ଆଗ ବାଲ୍‌ତିରେ ମୂତ୍ର ଓ ଶୌଚ ପାଣି ରହିବ । ଭଲ ପାଣିରେ ଶୌଚ ହେବ । ଶୌଚ ସମୟରେ ପାଉଁଶ ବା ମାଟି ବ୍ୟବହାର କରିବ । ହାତ ପାଦ ଭଲରୂପେ ଧୋଇବ । ଢାଳ ମାଜିବ ।

 

ସାମାଜିକ ପରିଚ୍ଛନ୍ନତା– ମନୁଷ୍ୟ ଏକୁଟିଆ ହୋଇ ଚଳିପାରିବ ନାହିଁ । ତାକୁଲୋଡ଼ା ସଙ୍ଗ ବା ସମାଜ । ନିଜକୁ ନୀରୋଗ ରଖିବା ନିମନ୍ତେ ବ୍ୟକ୍ତିଗତ ପରିଚ୍ଛନ୍ନତା ପ୍ରତି ତା’ର ଯେଉଁସବୁ ଯତ୍ନ ଦରକାର, ସେ ଯେଉଁ ସମାଜରେ ଚଳୁଛି, ତାକୁ ପରିଷ୍କାର ପରିଚ୍ଛନ୍ନ ରଖିବା ସକାଶେ ତା’ର ସେହି କର୍ତ୍ତବ୍ୟ ମଧ୍ୟ ରହିଛି । କାରଣ, ସମାଜ ଅପରିଚ୍ଛନ୍ନ ରହିଲେ ତା’ର ପରିଚ୍ଛନ୍ନତାର ଅର୍ଥ ରହେନାହିଁ । ଧରାଯାଉ, ତୁମେ ତୁମ ଦେହ ଓ ଘରକୁ ସଫା ରଖିବାରେ ଲାଗିଛ । କିନ୍ତୁ ତୁମେ ଯାହା ସଙ୍ଗେ ଚାଲବୁଲ ଓ ବସାଉଠା କର ଏବଂ ତୁମ ସାହି ପଡ଼ିଶା ଯଦି ଆବର୍ଜନାପୂର୍ଣ୍ଣ ତାହେଲେ ସେହି ଆବର୍ଜନା ଆସି ତୁମକୁ ଓ ତୁମ ଘରକୁ ମଇଳା କରିଦେବ ନାହିଁକି ? ଏଣୁ ତୁମେ ନିଜକୁ ସଫା ରଖିବାଲାଗି ଯତ୍ନ କରିବା ସଙ୍ଗେ ସଙ୍ଗେ ସମାଜର ପରିଚ୍ଛନ୍ନତା ପାଇଁ ମଧ୍ୟ ଯତ୍ନନେବାକୁ ହେବ ।

 

ଆମ ଦେଶର ଗାଁଗୁଡ଼ିକ କିପରି ଅଳିଆର ଗଦା ହୋଇପଡ଼ିଛି ତାହା ତୁମେ ଦେଖୁଛ । ସେଥିପାଇଁ ବାରମାସଯାକ ଗାଁଗୁଡ଼ିକରେ ବ୍ୟାଧି ଲାଗିଥାଏ । ଗାଁର ଦାଣ୍ଡ, ଗଡ଼ିଆ, ଦେବଦେବୀ ମନ୍ଦିର, ବଡ଼ ପୋଖରୀ, କୂଅ ଇତ୍ୟାଦି ପରିଷ୍କାର ପରିଚ୍ଛନ୍ନ ନ ରହିଲେ ବ୍ୟାଧି ଦୂରହେବ ନାହିଁ, ଗାଁଗଣ୍ଡା ଧୋଇ ହୋଇଯିବ ।

 

ଏସବୁ ଜଣକିଆ କାମ ନୁହେଁ । ଦଳ ଦଳ ହୋଇ କାମ କରିବାକୁ ହେବ । ଏଥିପାଇଁ ତୁମେ ଗ୍ରାମବାସୀଙ୍କ ସାହାଯ୍ୟ ଲୋଡ଼ିବ । ଗ୍ରାମର ପ୍ରତି ପରିବାର ସହିତ ମିଶିବ । କେହି କେହି ସାହାଯ୍ୟ ଦେବାକୁ ଅମଙ୍ଗ ହୋଇପାରନ୍ତି; ତଥାପି ପ୍ରଥମେ ତୁମେ କେତେ ଜଣକୁ କହିପୋଛି ଗୋଟିଏ ଦଳ ଗଢ଼ିବ । ଲୋକେ ତୁମ କାର୍ଯ୍ୟର ମହତ୍ୱ ବୁଝିପାରିଲେ ତେଣିକି ତୁମର ଆଉ ଅସୁବିଧା ରହିବ ନାହିଁ । ସେମାନେ ହସି ହସି ତୁମ ସାଙ୍ଗରେ କାମ କରିବେ ।

 

ଗାଁ ଲୋକଙ୍କୁ ନେଇ କେତୋଟି ଦଳ ଗଢ଼ିବ । ଦଳରେ ଜଣେ ନେତା ରହିବେ । ନେତାର ନିର୍ଦ୍ଦେଶ ଅନୁସାରେ ସମସ୍ତେ କାମ କରିବେ । ପ୍ରତ୍ୟେକ ଦଳକୁ ଗ୍ରାମର ଭିନ୍ନ ଭିନ୍ନ ଜାଗା ପ୍ରତିଦିନ ସଫା କରିବାକୁ ଦେବ । ଦଳେ ଗାଁ ଦାଣ୍ଡ ସଫାକଲେ ଅନ୍ୟଦଳ ଗାଁର ଦେବତା ମନ୍ଦିର ସଫା କରିବେ । ଏହି ପ୍ରକାରେ ପ୍ରତିଦିନ ଗ୍ରାମର ପ୍ରତିଅଂଶ ସଫା କରାଯିବ, ଗାଁରେ କେଉଁଠି ଆବର୍ଜନା ରହିବ ନାହିଁ ।

 

ସଫାଇ ଉପକରଣ– ସଫାଇ କାମ କରିବାପାଇଁ ଛାଞ୍ଚୁଣି, ପହଁରା, ଝାଡ଼ୁ, ଝୁଡ଼ି, ଟୋକେଇ, କୋଡ଼ି, କୋଦାଳ, କାତି, ବାଲଟି ପ୍ରଭୃତି ଯେଉଁସବୁ ଉପକରଣ ଆବଶ୍ୟକ, ତାହା ଆଗରୁ ସଂଗ୍ରହ କରିବ । ସେଗୁଡ଼ିକୁ କୌଣସି ନିର୍ଦ୍ଦିଷ୍ଟ ସ୍ଥାନରେ ରଖି ଦରକାର ବେଳେ କାମରେ ଲଗାଉଥିବ ଏବଂ କାମ ଶେଷରେ ସଫାକରି ରଖି ଦେଉଥିବ–ଏଣେତେଣେ ପକାଇବ ନାହିଁ ।

 

ଭିନ୍ନ ଭିନ୍ନ ସ୍ଥାନପାଇଁ ଭିନ୍ନ ଭିନ୍ନ ଉପକରଣ– କେହି କେହି ଘର ସଫାକରିବା ଝାଡ଼ୁରେ ଦାଣ୍ଡ, ବାରି ଆଦି ସ୍ଥାନ ସଫାକରନ୍ତି । ତାହା ଭଲ ନୁହେଁ । ଦାଣ୍ଡ, ଗଳି, ରାସ୍ତା ଇତ୍ୟାଦି ସ୍ଥାନ ଝାଡ଼ୁ କରିବା ନିମନ୍ତେ ଭିନ୍ନ ଭିନ୍ନ ଉପକରଣ ରଖାଯିବ । ଦେବଦେବୀ ମନ୍ଦିରର ସଫାଇ ଉପକରଣ ଅନ୍ୟ କୌଣସି ସଫାଇ କାମରେ ଲଗାଇବ ନାହିଁ ।

 

ଅଳିଆର ସଦ୍‌ବ୍ୟବହାର– ବହୁତ ଲୋକେ ଅଳିଆର ସଦ୍‌ବ୍ୟବହାର ଜାଣନ୍ତି ନାହିଁ–ଯେଉଁଠି ଇଚ୍ଛା ସେଠି ଫୋପାଡ଼ି ଦିଅନ୍ତି । ଅଳିଆକୁ ଖତକରି ବିଲରେ ଦେଲେ ମାଟିର ବଳବଢ଼େ ଓ ସେଥିରେ ଭଲ ଫସଲ ହୁଏ । ଏଣୁ ପ୍ରତିଦିନର ସଫାଇରେ ଯେଉଁସବୁ ଅଳିଆ ବାହାରିବ ତାକୁନେଇ ଗାଁଠାରୁ ଟିକିଏ ଦୂରରେ ଗୋଟିଏ ଖାତରେ ପକାଇବ । ଖାତଟି ତିନିଫୁଟ ଗହୀର ରଖିବ । ତାହା ଆବର୍ଜନାରେ ଭରତି ହୋଇଗଲେ ଉପରେ ମାଟି ଘୋଡ଼ାଇ ଦେବ । ପାଣି, ପବନ, ଖରାବାଜି ଚାରିମାସପରେ ତାହା ଉପଯୁକ୍ତ ସାରଦେବ । ତାକୁ ନେଇ ବିଲରେ ପକାଇବ ବା ଗଛମୂଳେ ଦେବ । ଆବର୍ଜନାରେ ଗୋଟିଏ ଖାତ ପୂର୍ଣ୍ଣ ହୋଇଗଲେ ଆଉ ଗୋଟିଏ ଖାତଖୋଳି ତହିଁରେ ପୁଣି ପକାଇବ ।

 

ସଫା କିପରି କରିବାକୁ ହେବ– ପ୍ରତିଦିନ ଭିନ୍ନ ଭିନ୍ନ ଦଳ, ଗାଁର ଭିନ୍ନ ଭିନ୍ନ ଅଂଶ ସଫା କରିବେ । ସକାଳେ ସମସ୍ତେ ନିଜ ନିଜର ସଫାଇ ସରଞ୍ଜାମ ସହ ଦଳ ଦଳ ଯାଇ ନିର୍ଦ୍ଦିଷ୍ଟ ଜାଗାରେ ପହଞ୍ଚିବ । ରାସ୍ତାର ଅଳିଆ ଉଠାଇବ । ରାସ୍ତାର କୌଣସି ଅଂଶ ଖାଲଥିଲେ ସେଠାରେ ମାଟି ପକାଇବ । ତା’ ନକଲେ ବର୍ଷାଦିନରେ ଖାଲରେ ପାଣି ଜମିରହିବ । ତହିଁରେ ଅଳିଆ ଆବର୍ଜନା ପଡ଼ି ପଚିବ । ତାହାଦ୍ୱାରା ମଶା ଓ ଦୁର୍ଗନ୍ଧ ଜାତହେବ । ଅଜ୍ଞଲୋକେ ରାସ୍ତାକଡ଼ରେ ଝାଡ଼ାଫେରନ୍ତି; ଛକ ରାସ୍ତାରେ ଛିଣ୍ଡାମସିଣା, ଭଙ୍ଗାହାଣ୍ଡି, ଅନ୍ୟାନ୍ୟ ଅଳିଆ ପକାନ୍ତି, ସେପରି ନପକାଇବାକୁ ଗ୍ରାମବାସୀଙ୍କୁ ବୁଝାଇବ ।

 

ଗ୍ରାମମାନଙ୍କରେ ବଡ଼ ବଡ଼ ଦଳପୂର୍ଣ୍ଣ ପୋଖରୀ ଥାଏ । ଦଳ ପଚିସଢ଼ି ପାଣିକୁ ଖରାପ କରିପକାଏ । ସେ ପାଣି ପିଇଲେ ରୋଗହୁଏ । ଏଣୁ ଦଳକୁ ବାହାରକରି ଖତ କରିବ । ପୋଖରୀ ହିଡ଼, ତୁଠ ଆଦି ଜାଗାମାନ ଝାଡ଼ୁକରି ଅଳିଆ ନେଇ ଖାତରେ ପକାଇବ । ପୋଖରୀରେ ଗୋରୁଗାଈ, ମଇଁଷି ପ୍ରଭୃତି ଗାଧୋଇ ଦେବ ନାହିଁ, କି ମନୁଷ୍ୟମାନେ ଶୌଚ ହେବେ ନାହିଁ । ନଈଥିଲେ ତାହାକୁ ମଧ୍ୟ ଏହିପରି ସଫା ରଖିବ ।

 

ସର୍ବସାଧାରଣ ମଠ ମନ୍ଦିର ଅତିଥିଶାଳା ଆଦି ଥିଲେ ତାହାର ହତା ସଫା କରିବ । ଗୁଣ୍ଡିଚାଯାତ, ଦୋଳୋତ୍ସବ, ଦଶହରା ଇତ୍ୟାଦି ଯାତ୍ରା ପର୍ବବେଳ ଚାରିଆଡ଼ୁ ଲୋକେ ଆସି ଜମନ୍ତି-। ସେମାନେ ସ୍ଥାନାସ୍ଥାନ ନଦେଖି ଏଠି ସେଠି ପ୍ରସ୍ରାବ ବସନ୍ତି । ଏହା ଯୋଗେ ଦୁର୍ଗନ୍ଧ ଜାତହୁଏ ଓ ପବନ ଦୂଷିତ ହୁଏ । ତେଣୁ ସେ ସମୟରେ ଯାତ୍ରୀମାନଙ୍କ ନିମନ୍ତେ ମୂତ୍ରଖାନାମାନ ତିଆରି କରି ତାଟିବାଡ଼ ଦେବ । ସେମାନଙ୍କୁ ପରିଚ୍ଛନ୍ନ ରଖିବା ନିମନ୍ତେ ଯେଉଁସବୁ ବିଷୟ ବିଚାର କରାଯାଇଅଛି ସେସବୁ ମାନିଚଳିଲେ ତୁମର ଏବଂ ସମାଜର ବିଶେଷ ଉପକାର ହେବ ।

 

ଆଲୋକର ଉପାଦେୟତା– ତୁମ୍ଭେମାନେ ଦେଖିଥିବ ଅନ୍ଧାରରେ ଗଛଲତା ଭଲଭାବରେ ବଢ଼ିପାରନ୍ତି ନାହିଁ । ଅନ୍ଧାରରେ ଥିବା ଗଛ ଶେତୁଆ ଓ ରୋଗାଦିଶେ । ବିସ୍ତର ସୂର୍ଯ୍ୟକିରଣ ପାଉଥିବା ଗଛମାନେ ସତେଜ ଓ ସୁସ୍ଥ ଦିଶନ୍ତି । ମନୁଷ୍ୟମାନଙ୍କ ପକ୍ଷରେ ମଧ୍ୟ ସେହିକଥା । ପାଣି ପବନ ପରି ଆଲୋକ ମଧ୍ୟ ପ୍ରାଣୀର ଅତି ଆବଶ୍ୟକୀୟ ବସ୍ତୁ । ଜଣେ ମଣିଷକୁ କିଛିଦିନ ଗୋଟିଏ ଅନ୍ଧାର ଘରେ ରଖିଦିଅ ଦେଖିବ, ତା’ଦେହ ବିବର୍ଣ୍ଣ ଓ ରକ୍ତଶୂନ୍ୟ ଦିଶିବ । ଆଉ ସେ କାମ କରିପାରିବ ନାହିଁ–ରୁଗ୍‍ଣ ହୋଇଯିବ ।

 

ଆମେମାନେ ଘରଭିତରେ ବେଶୀ ସମୟ ରହୁଁ । ବାହାରେ କାର୍ଯ୍ୟ କରୁଥିଲାବେଳେ ସୂର୍ଯ୍ୟାଲୋକର ଅଭାବ ରହେନାହିଁ । ଘରେ ଯଦି ଆଲୁଅର ଅଭାବଘଟେ ତାହେଲେ ଦିନର ବହୁସମୟ ଆମକୁ ଅନ୍ଧାରରେ ରହିବାକୁ ପଡ଼ିବ ଏବଂ ତାହାଦ୍ୱାରା ଆମ ସ୍ୱାସ୍ଥ୍ୟ ଭାଙ୍ଗିପଡ଼ିବ । ଏଣୁ ଯଥେଷ୍ଟ ସୂର୍ଯ୍ୟାଲୋକ ପ୍ରବେଶ କଲାଭଳି ବାସଗୃହ ତିଆରି କରିବାକୁ ହେବ । ପ୍ରଥମେ ଗୃହପାଇଁ ଉଚ୍ଚ ଓ ଶୁଖିଲା ଭୂମି ବଛାଯିବା ଉଚିତ । ଘରର କାନ୍ଥ ଓ ଚାଳ ଉଚ୍ଚ ରଖାଯିବ । କାନ୍ଥଗୁଡ଼ିକରେ ଝରକା ରହିବ । କବାଟ ଓ ଝରକାମାନ ସାମନାସାମନି ରଖିବାକୁ ହେବ ।

 

ସୂର୍ଯ୍ୟାଲୋକରେ ବଡ଼ ବଡ଼ ସଂକ୍ରାମକ ରୋଗ ଦୂରହୁଏ ।

 

ବାୟୁର ଉପାଦେୟତା– ନଖାଇ ନପିଇ ଆମେମାନେ କେତେ ଦିନ ବଞ୍ଚିପାରୁଁ କିନ୍ତୁ ବାୟୁବିନା ଅଳ୍ପକ୍ଷଣରେ ମରିଯିବୁ । ସେଥିପାଇଁ ଜନ୍ମଠାରୁ ମୃତ୍ୟୁ ପର୍ଯ୍ୟନ୍ତ ସକଳ ସମୟରେ ଆମ୍ଭମାନଙ୍କର ନିଃଶ୍ୱାସ ଚାଲିଛି । ଏଥିରୁ ଜଣାଯାଏ ଯେ ଆମ୍ଭମାନଙ୍କ ଜୀବନ ରକ୍ଷା ଦିଗରେ ପବନ କିପରି ସର୍ବାପେକ୍ଷା ଅଧିକ ଆବଶ୍ୟକ । ଏଣୁ ପ୍ରକୃତି ଆମପାଇଁ ଏତେବଡ଼ ପବନ ସମୁଦ୍ର ଥୋଇଅଛି । ସମୁଦ୍ରତଳ ଯେପରି ଜଳରେ ଆବୃତ, ସମସ୍ତ ପୃଥିବୀ ସେହିପରି ବାୟୁରେ ଆବୃତ । ମାଛ ଯେପରି ଜଳ ମଧ୍ୟରେ ରହି ବୁଲଚାଲ କରେ, ଆମ୍ଭେମାନେ ସେହିପରି ବାୟୁଭିତରେ ତିଷ୍ଠି ରହିଅଛୁ ।

 

ବାୟୁଦ୍ୱାରା ଜୀବନ ରକ୍ଷାହୁଏ ସତ, ମାତ୍ର ତାହା ବିଶୁଦ୍ଧ ହେବା ଅତ୍ୟନ୍ତ ଆବଶ୍ୟକ । ଦୂଷିତ ବାୟୁଦ୍ୱାରା ଜୀବନ ନଷ୍ଟହୁଏ । ବାୟୁ ନାନାକାରଣରୁ ଦୂଷିତ ହୁଏ ।

 

୧.

ଆମ୍ଭେମାନେ ସବୁବେଳେ ନିଃଶ୍ୱାସ ମାରୁଅଛୁଁ । ଯେଉଁ ବାୟୁ ଦେହଭିତରୁ ବାହାରକୁ ଆସେ ତାହା ଖରାପ ବାୟୁ । ‘ଅନ୍ଧକୂପ ହତ୍ୟା’ କଥା କେହି କେହି ଶୁଣିଥିବେ । ଏହା ବହୁତ ଦିନ ତଳର କଥା । କଲିକତାରେ ଅନ୍ଧକୂପ ନାମକ ଗୋଟିଏ ବନ୍ଦୀଶାଳାରେ ୧୪୬ ଜଣ ଲୋକ ରାତ୍ରରେ ବନ୍ଦହୋଇ ରଖାଯାଇଥିଲେ । ଉକ୍ତ ବନ୍ଦୀଶାଳା ଭିତରକୁ ବାୟୁ ଯିବାଆସିବା କରିବାଲାଗି ଯଥେଷ୍ଟ ମାର୍ଗ ନଥିଲା । କବାଟ ମଧ୍ୟ ବନ୍ଦକରି ଦିଆଯାଇଥିଲା । ସକାଳେ ଦେଖାଗଲା ଯେ, କେବଳ ୨୩ ଜଣ ଛଡ଼ା ଆଉ ସମସ୍ତେ ମରିଯାଇଛନ୍ତି । ସେମାନଙ୍କୁ କିଏ ମାରିପକାଇଲା ? ସେମାନଙ୍କ ନାସିକାଦେଇ ବାହାରୁଥିବା ପ୍ରଶ୍ୱାସ ବାୟୁ । ପ୍ରଶ୍ୱାସ ବାୟୁ କେଡ଼େ ମାରାତ୍ମକ ବସ୍ତୁ, ତାହା ସ୍ପଷ୍ଟ ଜଣାଯାଏ । ଯେଉଁମାନେ ଗୋଟିଏ କୋଠରୀରେ ଶୁଆ, ବସା କରନ୍ତି ସେମାନେ ସେହି ବିଷାକ୍ତ ବାୟୁ ଗ୍ରହଣ କରିଥାନ୍ତି । ସେଥିପାଇଁ ସେମାନେ ଦୁର୍ବଳ ଓ ରୋଗଗ୍ରସ୍ତ ଦେଖାଯାନ୍ତି । ଏଣୁ ଏକ କୋଠରୀରେ ବେଶୀ ଲୋକ ବସାଉଠା କରିବା ଅନୁଚିତ । ବାସଗୃହର କବାଟ ଓ ଝରକାମାନ ଖୋଲା ରଖିବ । ତାହେଲେ ବାହାରର ବିଶୁଦ୍ଧ ବାୟୁ ଯା’ଆସ କରିପାରିବ ।

 

 

୨.

ଯେଉଁଠି ସେଠି ମଳ, ମୂତ୍ର ତ୍ୟାଗ କରିବାଦ୍ୱାରା ଯେ କି ଭୟଙ୍କର କ୍ଷତି ହୁଏ, ତାହା ଅତି ଅଳ୍ପ ଲୋକ ଜାଣନ୍ତି । ବିରାଡ଼ି ନଖରେ ଗାତ ଖୋଳି ସେଠାରେ ମଳତ୍ୟାଗ କରେ ଏବଂ ଶେଷରେ ମାଟି ଘୋଡ଼ାଇଦିଏ । ମଳମୂତ୍ରର ଦୁର୍ଗନ୍ଧ ବାୟୁରେ ମିଶି ତାକୁ ଦୂଷିତ କରିପକାଏ । ପୂର୍ବରେ କୁହାଯାଇଅଛି ଯେ, ଏଠିସେଠି ମଳମୂତ୍ର ତ୍ୟାଗ ନକରି ପାଇଖାନା ଓ ମୂତ୍ରଖାନାରେ ତ୍ୟାଗ କରିବ । ସେଇଠି ମଧ୍ୟ ମଳମୂତ୍ର ତ୍ୟାଗକଲା ପରେ ପାଉଁଶ ବା ଶୁଖିଲା ମାଟିରେ ଘୋଡ଼ାଇଦେବ । ଏପରିକଲେ ସେଠାରେ ଦୁର୍ଗନ୍ଧ ଉଠି ଚାରିଆଡ଼େ ଆଉ ବ୍ୟାପିବ ନାହିଁ, ବାୟୁମଣ୍ଡଳ ଦୂଷିତ ହେବନାହିଁ ।

 

 

୩.

ଦାଣ୍ଡବାରି, ରାସ୍ତାଘାଟ, ଯେଉଁଠି ପାର ସେଇଠି ଛେପ, ଖଙ୍କାର ପକାଇବା ଫଳରେ ପବନ ବିଷାକ୍ତ ହୁଏ । ବେଳେବେଳେ ଛେପ ଭିତରେ ବିଷ ରହେ । କ୍ଷୟରୋଗୀର ଛେପରେ ଅଧିକ ବିଷ ରହେ । ତାହା ବାୟୁକୁ ଦୂଷିତ କରିପକାଏ ।

 

 

 

କେତେ ଲୋକଙ୍କର ମନ୍ଦ ଅଭ୍ୟାସ ଏହି ଯେ, ନଭାବି ନଚିନ୍ତି ଘରେ ଛେପ ପକାନ୍ତି । ମାତ୍ର କେବେହେଲେ ସେପରି କରିବନାହିଁ । ପିକଦାନି ରଖି ଛେପ ପକାଇବ । ବାଟରେ ଯାଉଁ ଯାଉଁ ଯଦି ଛେପ ପକାଇବା ଆବଶ୍ୟକ ପଡ଼ିଲା, ତାହାହେଲେ ଶୁଖିଲାସ୍ଥାନରେ ପକାଇ ଉପରେ ଧୂଳି ଘୋଡ଼ାଇଦେବ ।

 

 

୪.

ପୋକରା, ପଚା ଫଳମୂଳ, ଶାକସବଜୀ ବା ଅନ୍ୟ କୌଣସି ଖରାପ ଜିନିଷ ଏଣେତେଣେ ଫିଙ୍ଗିବାରେ ପବନ ଦୂଷିତ ହୁଏ । ଏଣୁ ଏସବୁ ପଦାର୍ଥକୁ ଗୋଟିଏ ନିର୍ଦ୍ଦିଷ୍ଟ ଗାତରେ ପକାଇ ସଙ୍ଗେ ସଙ୍ଗେ ମାଟି ଘୋଡ଼ାଇଦେବା ଅତି ଭଲ ।

 

 

୫.

ସହର ଜାଗାମାନଙ୍କରେ କଳକାରଖାନା ଦ୍ୱାରା ପବନ ଦୂଷିତ ହୁଏ ।

 

 

 

ଏହା ବ୍ୟତୀତ ଅନ୍ୟାନ୍ୟ ଅଳିଆ ଆବର୍ଜନାଦ୍ୱାରା ମଧ୍ୟ ପବନ ଖରାପ ହୁଏ । ବାୟୁକୁ ବିଶୁଦ୍ଧ ରଖିବାକୁ ହେଲେ ଉପରେ କୁହାଯିବା କାରଣମାନଙ୍କ ପ୍ରତି ଅଧିକ ଦୃଷ୍ଟି ଦେବାକୁ ହେବ ।

 

 

 

ସାଧାରଣରେ ଉଚ୍ଚ ଓ ଖୋଲାସ୍ଥାନ, ସମୁଦ୍ରକୂଳର ବାୟୁ ବିଶୁଦ୍ଧ ଅଟେ । ଏଇଥିପାଇଁ ରୋଗୀମାନେ ସେହି ସେହି ସ୍ଥାନରେ ରହି ଆରୋଗ୍ୟ ଲାଭ କରନ୍ତି ।

 

 

 

ଖୋଲା ସ୍ଥାନରେ ଶୋଇବା ଯେପରି ଦରକାର, ମୁହଁ ନ ଘୋଡ଼ାଇ ଶୋଇବା ମଧ୍ୟ ସେହିପରି ଆବଶ୍ୟକ । ମୁହଁ ଘୋଡ଼ାଇ ଶୋଇବା ଯୋଗେ ଆମ୍ଭମାନଙ୍କ ଦେହରୁ ଯେଉଁ ବିଷାକ୍ତ ବାୟୁ ବାହାରେ, ତାହା ନିଜେ ନିଜେହିଁ ଗ୍ରହଣକରୁ । ବିଶୁଦ୍ଧବାୟୁ ସେବନ କରିବାଲାଗି ଆମ୍ଭେମାନେ ଯେତେଦୂର ବ୍ୟାକୁଳ ହେବା ଉଚିତ, ବାୟୁ ଯେପରି ଦୂଷିତ ନ ହେବ ସେ ଦିଗରେ ଅଧିକ ସଚେଷ୍ଟ ହେବା ବିଧେୟ ।

 

ଜଳର ଉପାଦେୟତା– ବିଶୁଦ୍ଧ ପବନ ପରି ବିଶୁଦ୍ଧ ପାଣି ମଧ୍ୟ ଆମର ଏକାନ୍ତ ଦରକାର-। ପାଣି ଆମର ବେଶୀ କାମରେ ଲାଗେ । ଗାଧୋଇବା, ପିଇବା, ରାନ୍ଧିବା, ଲୁଗାପଟା ପରିଷ୍କାର କରିବା ପ୍ରଭୃତି କାର୍ଯ୍ୟ ଜଳଦ୍ୱାରା ହୁଏ । ଦୂଷିତ ଜଳ ବ୍ୟବହାର କଲେ ତହିଁରୁ କଲେରା, ମହାମାରୀ ଆଦି ଅନେକ ମାରାତ୍ମକ ରୋଗ ଦେଖାଦିଏ । ତେଣୁ ସେଥିପ୍ରତି ବିଶେଷ ସତର୍କ ହେବାକୁ ହେବ ।

 

ବର୍ଷାଜଳ ବିଶୁଦ୍ଧ ଅଟେ । ଏହାର ବର୍ଣ୍ଣ, ସ୍ୱାଦ ଓ ଗନ୍ଧ ନଥାଏ । ତାହା ବ୍ୟବହାର କଲେ ଦେହର ଉପକାର ହୁଏ । କିନ୍ତୁ ତାହା ଭୂମିରେ ପଡ଼ି ନାନା କାରଣରୁ ଦୂଷିତ ହୁଏ । ଆମ୍ଭମାନଙ୍କର ଅସାବଧାନତା, ସେଥିପାଇଁ ଏକ ପ୍ରଧାନ କାରଣ । ଆମ୍ଭେମାନେ ନଈ, ପୋଖରୀ, କୂଅ ପ୍ରଭୃତିର ପାଣି ବ୍ୟବହାର କରୁ, ଅଥଚ ସେହି ସ୍ଥାନଗୁଡ଼ିକୁ ନାନା ଆବର୍ଜନାଦ୍ୱାରା ଦୂଷିତ କରିପକାଉଁ ।

 

ନଦୀଜଳ ଦୂଷିତ ହେବାର କାରଣ– ଅଜ୍ଞ ଲୋକେ ନଈକୂଳରେ ମଳମୂତ୍ର ତ୍ୟାଗ କରିବାରେ, କୂଳରେ ଥିବା ଗଛସବୁର ପତ୍ର ଝଡ଼ି ପାଣିରେ ପଡ଼ିବା ଯୋଗେ, ଜୀବଜନ୍ତୁମାନଙ୍କର ମଳ ଓ ମୃତଦେହ ଦ୍ୱାରା; ମଫସଲ ଓ ସହରମାନଙ୍କର ନର୍ଦ୍ଦମା ଓ କଳକାରଖାନାମାନଙ୍କର ଖରାପପାଣି ମିଶିବାରେ, ଗାଧୋଇବା, ଲୁଗାପଟା–ବାସନକୁସନ ଆଦି ପରିଷ୍କାର କରିବା, ଅଳିଆ ପଚାସଢ଼ା ପଦାର୍ଥ ଆଦି ପକାଇବା ଫଳରେ ନଦୀଜଳ ଦୂଷିତ ହୁଏ ।

 

ପୋଖରୀ ଜଳ ଦୂଷିତ ହୁଏ କାହିଁକି ? – ଯେଉଁସବୁ କାରଣରୁ ନଦୀଜଳ ଖରାପ ହୁଏ, ସେହି କାରଣରୁ ପୋଖରୀ ଜଳ ମଧ୍ୟ ଦୂଷିତ ହୁଏ । ନଈପାଣି ସବୁବେଳେ ବହି ଯାଉଥିବାରୁ ସେଥିରେ ମିଶିବା ମଇଳା ଗୋଟିଏ ସ୍ଥାନରେ ଜମାହୋଇ ନରହି ଦୂରକୁ ଯାଇ କୌଣସି ହ୍ରଦ ବା ସମୁଦ୍ରରେ ପଡ଼େ । ମାତ୍ର ପୋଖରୀ ପାଣି ଗୋଟିଏ ଜାଗାରେ ବାନ୍ଧିହୋଇ ରହୁଥିବାରୁ ତହିଁରେ ମିଶିବା ମଇଳା, ପାଣିକୁ ବେଶୀ ଖରାପ କରିପକାଏ । ଏହାଛଡ଼ା ପୋଖରୀରେ ଥିବା ଦଳ ପଚିସଢ଼ି ଜଳକୁ ଦୂଷିତ କରେ ।

 

କୂଅ ପାଣି ଖରାପ ହେବାର କାରଣ– କୂଅ ଚାରିପାଖରେ ଖତଖଣା, ଗଛଲତା ଆଦି ଥିଲେ, କୂଅ ଭିତରେ କାଠିକୁଟା, ଘାସପତ୍ର ଆଦି ପଡ଼ିବା ଯୋଗେ, ଅପରିଷ୍କୃତ ପାତ୍ର ଓ ଦଉଡ଼ିରେ ପାଣି କାଢ଼ିବାଦ୍ୱାରା, କୂଅ ନିକଟରେ ଦାନ୍ତପତ୍ର ଘଷିବା, ଗାଧୁଆପାଧୁଆ କରିବା, ଲୁଗାପଟା ଇତ୍ୟାଦି କାଚିବାରେ କୂଅଜଳ ଦୂଷିତ ହୁଏ ।

 

ଆଗ କୁହାଯାଇଛି ଯେ, ଦୂଷିତ ଜଳ ପାନ କଲେ ଜ୍ୱର, ଆମାଶୟ, ହଇଜା ପ୍ରଭୃତି ହୁଏ-। ତେଣୁ ନଈ, ପୋଖରୀ, କୂଅ ଆଦି ବ୍ୟବହୃତ ସ୍ଥାନମାନଙ୍କର ଜଳ ଯେଉଁସବୁ କାରଣରୁ ଦୂଷିତ ହୁଏ ସେଥିପ୍ରତି ସମାନ ଦୃଷ୍ଟିଦେବାକୁ ହେବ ।

 

ନଈ, ପୋଖରୀ, କୂଅ ବା ହିଡ଼ରେ ଝାଡ଼ା ଫେରିବ ନାହିଁ, କି ଅନ୍ୟାନ୍ୟ ଗୋରୁ ଗାଈ ଧୋଇବା, ମଇଳା ଲୁଗା କାଚିବା ପ୍ରଭୃତି କାର୍ଯ୍ୟ କରିବ ନାହିଁ । କେହି କେହି ପୋଖରୀ ହୁଡ଼ା ଉପରେ ଗଛ ଲଗାନ୍ତି ଏହାଦ୍ୱାରା ପୋଖରୀ ପାଣି ଖରାପ ହୁଏ । ଗଛ ରହିଲେ ଗଛର ପତ୍ର ପୋଖରୀରେ ପଡ଼ି ପଚିବ । ପକ୍ଷୀମାନେ ଗଛଉପରେ ବସି ପାଣିରେ ମଳମୂତ୍ର ତ୍ୟାଗ କରିବେ । ପୋଖରୀ ଯେତେ ବଡ଼ ଓ ଗଭୀର ହେବ ସେତେ ଭଲ । ୪।୫ ବର୍ଷରେ ଥରେ ପୋଖରୀ ଉଝାଳି ପଙ୍କ ବାହାର କରିବା ଉଚିତ ।

 

କୂଅକୁ ବର୍ଷରେ ଥରେ ଉଝାଳିବ । ପରିଷ୍କାର ବାଲ୍‌ଟି ବା ଗରାରେ ପାଣି କାଢ଼ିବ । ଦଉଡ଼ି ମଧ୍ୟ ସଫା ରଖିବ । ବାହାରରୁ କିଛି ଜିନିଷ ନପଡ଼ିବା ଲାଗି କୂଅ ଉପରେ ଢାଙ୍କୁଣି ଦେବା ଅତି ଭଲ । କୂଅ ପାଖରେ ପାଇଖାନା, ମୂତ୍ରଖାନା କିମ୍ୱା ଅନ୍ୟାନ୍ୟ ଆବର୍ଜନା ମୂଳକ କୌଣସି ପଦାର୍ଥ ରଖିବ ନାହିଁ । ଏ ସମ୍ୱନ୍ଧରେ ପୂର୍ବେ ଅନେକ କଥା ଆଲୋଚନା କରାଯାଇଅଛି ।

 

ସତର୍କ ରହିଲେ ମଧ୍ୟ ପାଣି ଖରାପ ହେବା ପାଇଁ କେତେକ ପ୍ରାକୃତିକ କାରଣ ରହିଛି । ପବନରେ ଉଡ଼ିଆସି କେତେ ଅଳିଆ ପାଣିରେ ପଡ଼େ । ବର୍ଷାଜଳ ବହିଆସି ପ୍ରବେଶ କରିବା ଯୋଗୁଁ ତହିଁରେ ଅନେକ ପ୍ରକାର ମଇଳା ଜିନିଷ ଥାଏ–ତେଣୁ ନଈ, ପୋଖରୀର ପାଣି ଦୂଷିତ ହୁଏ-। କୂଅ ଭିତରର ଛିଦ୍ରଦେଇ ବାହାରର କେତେକ ମଇଳା କୂଅ ଜଳକୁ ଖରାପ କରେ । ପୁଣି ଅନେକ ସମୟରେ ପାଣି ନିର୍ମଳ ଦିଶିଲେ ମଧ୍ୟ ତହିଁରେ ରୋଗଜୀବାଣୁ ଥା’ନ୍ତି । ତାହା ଆମ ଆଖିକୁ ଦେଖାଯାଏ ନାହିଁ । ଏଣୁ ପାଣିକୁ କିଛି ସମୟ ଭଲରୂପେ ଫୁଟାଇଦେଇ ବ୍ୟବହାର କରିବାକୁ ହେବ । ଫୁଟିଲା ପାଣି ଥଣ୍ଡାକରି ସଫାକନାରେ ଛାଣି ପିଇବା ଅତି ଭଲ । ଦୂଷିତ ଜଳ ନାନା ଉପାୟରେ ପରିଷ୍କୃତ କରାଯାଇପାରେ ।

 

ଗୋଟିଏ ମାଠିଆରେ ପାଣି କିଛି ସମୟ ରଖିଲେ ତହିଁର ମଇଳାସବୁ ତଳକୁ ବସିଯିବ-। ସେ ମାଠିଆର ପାଣିକୁ ଅନ୍ୟ ଏକ ମାଠିଆକୁ ସଫା କନାରେ ଛାଣି ଫୁଟାଇଦେବ ।

 

ନଈ, ପୋଖରୀ ପ୍ରଭୃତି ଜଳାଶୟମାନଙ୍କର ପାଣି ବର୍ଷାଦିନରେ ଗୋଳିଆ ହୋଇଯାଏ-। ସେ ପାଣିକୁ କୌଣସି ପାତ୍ରରେ ରଖି ତହିଁରେ ନିର୍ମଳା ଫଳ କିମ୍ୱା କିଛି ଫିଟିକିରି ପକାଇଲେ ପାଣି ସଫା ହୁଏ ।

 

ବାଉଁଶ ବା କାଠର ଗୋଟିଏ ତିନି ଗୋଡ଼ିଆରେ ଚାରିଗୋଟି ଥାକ କରିବ (ଛବି ଦେଖ) । ପ୍ରତ୍ୟେକ ଥାକରେ ଗୋଟିଏ ଲେଖାଏଁ ମାଠିଆ ରଖିବ । ଉପର ତିନୋଟି ମାଠିଆର ତଳ ଭାଗରେ ଗୋଟିଏ ଛିଦ୍ର କରି ପ୍ରତ୍ୟେକ ଛିଦ୍ରରେ ଖଣ୍ଡକୁଟା ଦେବ । ପ୍ରଥମେ ପାଣିକୁ ଛାଣି ଉପର ମାଠିଆରେ ଭରତି କରିବ । ସବା ତଳ ମାଠିଆଟି ଖାଲି ରଖିବ । ମଝିରେ ଥିବା ଦୁଇଟି ମାଠିଆରୁ ଉପର ମାଠିଆରେ ଅଙ୍ଗାର ଓ ତା’ ତଳ ମାଠିଆରେ ବାଲି ରଖିବ । ଅଙ୍ଗାର ଓ ବାଲି ସଫା ଓ ଶୁଦ୍ଧ ଥିବ । ମାଠିଆଗୁଡ଼ିକର ମୁହଁରେ ଗୋଟିଏ ଗୋଟିଏ ଛିଦ୍ର ଯୁକ୍ତ ଓସାରିଆ ଶରା ଘୋଡ଼ାଇ ରଖିବ । ସବା-ଉପର ମାଠିଆର ପାଣି ମଝିରେ ଥିବା ଦୁଇ ମାଠିଆ ଦେଇ ସବା-ତଳ ମାଠିଆରେ ପଡ଼ିବ । ଏହି ଛଣାପାଣି ସବୁଠାରୁ ଭଲ । ମଝି ମାଠିଆ ଦିଓଟିର ଅଙ୍ଗାର ଓ ବାଲିକୁ ସପ୍ତାହରେ ଥରେ ବାହାର କରିଦେଇ ପୁଣି ସେଥିରେ ସଫା ଅଙ୍ଗାର ଓ ବାଲି ରଖିବ ।

 

ବ୍ଳିଚିଙ୍ଗ ପାଉଡ଼ର ରୋଗଜୀବାଣୁ ନାଶକ । ଏହା ପକାଇ ପାଣି ସଫା କରାଯାଏ ।

 

ସବୁବେଳେ ଥଣ୍ଡାଜଳ ବ୍ୟବହାର କରିବା ଉଚିତ । ଦୁର୍ବଳଲୋକ ମଧ୍ୟ ଏହାଦ୍ୱାରା ଉପକାର ପାଏ । ଜ୍ୱର, ବସନ୍ତ, ମୁଣ୍ଡବୁଲା, ଚର୍ମରୋଗରେ ଥଣ୍ଡାଜଳରେ ତିନ୍ତାଇ ଚାଦର ଦେହରେ ପକାଇଲେ ଯନ୍ତ୍ରଣା ଦୂର ହୁଏ ।

 

ସାଧାରଣ ରୋଗ ଏବଂ ତାହାର ଚିକିତ୍ସା ଓ ନିବାରଣ– ରୋଗ ହେଲେ ତାହା ଦୂର କରିବା ଚେଷ୍ଟା ଅପେକ୍ଷା ରୋଗ ଯେପରି ଆଦୌ ନହୁଏ ସେହି ଉପାୟ କରିବା ଭଲ । ନିବାରଣହିଁ ଶ୍ରେଷ୍ଠ ପ୍ରନ୍ଥା । ତେଣୁ ରୋଗାକ୍ରାନ୍ତ ନ ହେବାପାଇଁ ନିର୍ମଳ ଜଳ, ବିଶୁଦ୍ଧ ପବନ, ସ୍ୱାସ୍ଥ୍ୟଜନକ ଆହାର, ବ୍ୟକ୍ତିଗତ ଓ ସାମାଜିକ ପରିଚ୍ଛନ୍ନତା ନେଇ ପୂର୍ବ ପରିଚ୍ଛେଦ ଗୁଡ଼ିକରେ କେତେ କଥା ଆଲୋଚନା କରାଯାଇଅଛି । ବର୍ତ୍ତମାନ ରୋଗ ହେଲେ ତାହାର କିପରି ଚିକିତ୍ସା କରାଯିବ, ଏହି ଅଧ୍ୟାୟରେ ସେ ସମ୍ପର୍କରେ କେତେକ କଥା କୁହାଯିବ ।

 

ରୋଗସବୁ ଛୋଟ ଛୋଟ ଜୀବାଣୁଦ୍ୱାରା ଜାତହୁଏ । ସେଗୁଡ଼ିକ ଏତେ କ୍ଷୁଦ୍ର ଯେ ଆମମାନଙ୍କ ଆଖିକୁ ଦିଶେ ନାହିଁ । ‘ଅଣୁବୀକ୍ଷଣ’ ଯନ୍ତ୍ରଦ୍ୱାରା ସେସବୁ ସ୍ପଷ୍ଟ ଦେଖାଯାନ୍ତି ।

 

ହଇଜା, ବସନ୍ତ, ମ୍ୟାଲେରିଆ, କାଛୁ, କୁଣ୍ଡିଆ ପ୍ରଭୃତି ସାଧାରଣ ରୋଗଗୁଡ଼ିକୁ ସଂକ୍ରାମକ ବା ଡିଆଁରୋଗ କୁହାଯାଏ । ଏସବୁ ଜୀବାଣୁ ଯୋଗେ ଜାତ ହୁଏ ଏବଂ ପବନ, ଜଳ, ଖାଦ୍ୟ, ଲୁଗାପଟା, ମିଳାମିଶାଆଦି ଦ୍ୱାରା ଜଣକଠାରୁ ଅନ୍ୟ ଜଣ ପାଖକୁ ବ୍ୟାପେ ।

 

ହଇଜା (ବିସୂଚିକା)– ଏହା ଏକ ପ୍ରଧାନ ଡିଆଁ ରୋଗ । ଏହି ରୋଗ ‘କୋମାବେସିଲାସ’ ନାମକ ଜୀବାଣୁଦ୍ୱାରା ଜାତହୁଏ । ଏମାନେ ରୋଗୀର ଗୁହ ଓ ବାନ୍ତିରେ ଥା’ନ୍ତି-। ମାଛି ଏଥିରେ ବସି ଖାଦ୍ୟ ଜିନିଷରେ ବସିଲେ ତହିଁରେ ଉକ୍ତ ଜୀବାଣୁ ଲାଗିଯାନ୍ତି । ସେ ଖାଦ୍ୟ ଖାଇବା ଯୋଗେ ତାହା ପେଟକୁ ଯାଏ–ହଇଜା ଧରେ । ରୋଗୀର ଲୁଗାପଟା, ଶେଯ, ମସିଣା ଇତ୍ୟାଦି ବ୍ୟବହାର କରିବାଯୋଗେ, ରୋଗୀର ସମ୍ପର୍କରେ ଆସିବାଦ୍ୱାରା ହଇଜା ଜଣକଠାରୁ ଅନ୍ୟ ମନୁଷ୍ୟ ଦେହକୁ ସଂକ୍ରମିତ ହୁଏ । ପବନ, ଜଳଦ୍ୱାରା ମଧ୍ୟ ବ୍ୟାପେ ।

 

ହଇଜାର ଲକ୍ଷଣ– ପ୍ରଥମେ ଅଜୀର୍ଣ୍ଣଝାଡ଼ା ଓ ବାନ୍ତିହୁଏ । ବାନ୍ତି ବନ୍ଦ ହୋଇଗଲେ କେବଳ ଚାଉଳଧୁଆ ପାଣିପରି ଝାଡ଼ା ହୁଏ । ପରିସ୍ରା ମୋଟେ ହୁଏନାହିଁ । ଗୋଡ଼ରୁ ବାକୁଲା ଉଠେ-। ରୋଗୀର ବର୍ଣ୍ଣ ବିବର୍ଣ୍ଣ ଦିଶେ । ଦେହ ଥଣ୍ଡାହୁଏ ଓ ମୁହଁରୁ ବିନ୍ଦୁ ବିନ୍ଦୁ ଝାଳ ବାହାରେ । ଶେଷରେ ନାଟିକା ହାତକୁ ଲାଗେନାହିଁ । ରୋଗୀ ମୃତ୍ୟୁମୁଖରେ ପଡ଼େ ।

 

ନିବାରଣର ଉପାୟ– ଅପରିଷ୍କୃତ ପାଣି ଓ ମାଛି ଯୋଗେ ହଇଜା ବ୍ୟାପେ । ଏଣୁ ପାଣିକୁ ଫୁଟାଇ ଥଣ୍ଡାକରି ପିଇବ ଏବଂ ଖାଇବା ପଦାର୍ଥରେ ମାଛି ବସାଇ ଦେବନାହିଁ । ବାସି ପଚାସଢ଼ା ଜିନିଷ ଖାଇବ ନାହିଁ । ଗ୍ରୀଷ୍ମକାଳରେ ଓ ଯାତ୍ରା ପର୍ବାଦି ସମୟରେ ବିଶେଷ ସାବଧାନ ରହିବ । ଅଜୀର୍ଣ୍ଣ ହେବାଭଳି ଖାଇବା ଯେତିକି ଖରାପ, ଖାଲିପେଟରେ ରହିବା ସେତିକି କ୍ଷତି । ପ୍ରତିଦିନ ଚହ୍ଲା, ଲେମ୍ୱୁରସ, ଖଟାଜିନିଷ ଖାଇବା ଭଲ । ହଇଜା ରୋଗୀର ମଳମୂତ୍ର, ବାନ୍ତି, ଉଚ୍ଛିଷ୍ଟରେ ମାଛି ବସିବା ଯୋଗେ ହଇଜା ଚାରିଆଡ଼େ ବ୍ୟାପେ । ଏଣୁ ସେସବୁ ପୋଡ଼ିଦେବ ବା ପୋତିଦେବ । ରୋଗୀର ଲୁଗାପଟା ଓ ବିଛଣା ବ୍ୟବହାର କରିବ ନାହିଁ । ନିଜେ ପରିଷ୍କାର ପରିଚ୍ଛନ୍ନ ରହି ରୋଗୀର ସେବା କରିବ । ନିକଟରେ କେଉଁଠି ବିସୂଚିକା ଦେଖାଦେଲେ ଟିକାନେବ । କୂଅ, ପୋଖରୀ ପରିଷ୍କାର ରଖିବ । କଦାଚ ଭୟ କରିବ ନାହିଁ ।

 

ଅଜ୍ଞଲୋକ ଭୂତପ୍ରେତ ଯୋଗୁଁ ବିସୂଚିକା ରୋଗ ଜାତହୁଏ ବୋଲି ବିଶ୍ୱାସ କରନ୍ତି । ତା’ର ପ୍ରତିକାର ପାଇଁ ପିଠାପଣା ଆଦି ତିଆରିକରି ଠାକୁରାଣୀଙ୍କଠାରେ ପୂଜାଦିଅନ୍ତି, ରାତ୍ର ଉଜାଗର ରହି ନୃତ୍ୟ କୀର୍ତ୍ତନ, ହୋମ ପ୍ରଭୃତି କରନ୍ତି । ଏପରି କରିବା ଯୋଗେ ରୋଗ ଅଧିକ ବ୍ୟାପେ । ହଇଜା ସମୟରେ ଆଦୌ ଉଜାଗର ରହିବ ନାହିଁ, କି ଗୁରୁ କଠିନ ଜିନିଷ ଖାଇବ ନାହିଁ-

 

ଚିକିତ୍ସା– ହଇଜାର ଲକ୍ଷଣ ଦେଖାଗଲେ ସଙ୍ଗେ ସଙ୍ଗେ ଜଣାଶୁଣା ବୈଦ୍ୟ କିମ୍ୱା ଡାକ୍ତରଙ୍କୁ ଡାକିଆଣି ରୋଗୀକୁ ଚିକିତ୍ସା କରାଇବ । ଡାକ୍ତର ଆସିବା ଆଗରୁ ରୋଗୀକୁ ଗରମପାଣି, ବାର୍ଲି ଆଦି ସହଜ ହଜମି ପଦାର୍ଥମାନ ଖାଇବାକୁ ଦେବ । ରୋଗୀର ରହିବା ସ୍ଥାନ, ଲୁଗାପଟା ଆଦି ବ୍ୟବହାର କରୁଥିବା ପଦାର୍ଥମାନ ସଫା ରଖିବ । ଡାକ୍ତର ଯାହା କହିବେ ସେହି ଅନୁସାରେ ସେବା ଓ ଚିକିତ୍ସା କରିବ ।

 

ବସନ୍ତ– ଏ ରୋଗ ଯେପରି ଭୟଙ୍କର ସେହିପରି ସଂକ୍ରାମକ ଅଟେ । ଆମ ଦେଶରେ କୁଷ୍ଠରୋଗକୁ ‘‘ବଡ଼ରୋଗ’’ କୁହାଯାଏ । କିନ୍ତୁ, ସିଂହଳ ଦ୍ୱୀପରେ ବସନ୍ତ ରୋଗକୁ ବଡ଼ରୋଗ କହନ୍ତି । ଏ ରୋଗରେ ଚକ୍ଷୁ ନଷ୍ଟ ହୋଇଯାଏ । ଦେହ ବିବର୍ଣ୍ଣ ଦିଶେ । ରୋଗୀ ମରିଯାଏ । ମୂର୍ଖଲୋକେ ଏ ରୋଗକୁ ‘ଠାକୁରାଣୀ’ କହନ୍ତି ।

 

ରୋଗୀ ପାଖରେ ବସାଉଠା କରିବାଦ୍ୱାରା, ରୋଗୀର ଲୁଗାପଟା, ବାସନକୁସନ ସ୍ପର୍ଶ କରିବା ଯୋଗେ ଏବଂ ରୋଗୀ ଦେହର ଫୋଟକାର ବକଳା ପବନରେ ଉଡ଼ିଆସିବା ଯୋଗୁଁ ବସନ୍ତ ରୋଗ ଅନ୍ୟ ଦେହକୁ ଡିଏଁ ।

 

ବସନ୍ତର ଲକ୍ଷଣ– ଏ ରୋଗ ହେବା ଆଗରୁ ଜ୍ୱର ହୁଏ । ଜ୍ୱର ହେବାର ଦୁଇ ଚାରିଦିନପରେ ବସନ୍ତ ଦେଖାଯାଏ । ପ୍ରଥମେ ବସନ୍ତ ଫୋଟକାଗୁଡ଼ିକ ସାନ ଦିଶେ । ଅନେକଙ୍କର ସେ ଅବସ୍ଥାରେ ଶୁଖିଯାଏ । କେତେ ଲୋକର ଫୋଟକାଗୁଡ଼ିକ ପାଚି ଘା ହୁଏ ଓ ଗଲୁକରେ । ଯେଉଁମାନଙ୍କର ଆଖିରେ ତୁଣ୍ଡରେ ବସନ୍ତ ଫୋଟକା ବାହାରେ ସେମାନଙ୍କ ମଧ୍ୟରୁ ଅଧିକ ଲୋକ ଅନ୍ଧ ହୋଇଯାନ୍ତି ଓ ଖାଇ ନ ପାରି ମରିଯାନ୍ତି । ଫୋଟକା ପାଚିଲେ ରୋଗୀ ବେଶି ଯନ୍ତ୍ରଣା ଭୋଗ କରେ । ଫୋଟକା ଘା’ଗୁଡ଼ିକରୁ ରକ୍ତ ବହିଲେ ରୋଗୀ ଆଉ ବଞ୍ଚି ପାରେନାହିଁ ।

 

ନିବାରଣର ଉପାୟ– ବସନ୍ତ ନିବାରଣ ସକାଶେ ଗୋବୀଜ ଟିକା ଦିଆଯାଏ । ଲୋକଙ୍କୁ ବସନ୍ତ ରୋଗର ଉପଦ୍ରବରୁ ରକ୍ଷା କରିବା ସକାଶେ ସରକାର ଏ ଦେଶରେ ଏହାକୁ ବାଧ୍ୟତାମୂଳକ କରିଛନ୍ତି । ଶିଶୁ ଜନ୍ମହେବାର ତିନି ମାସଠାରୁ ଛମାସ ମଧ୍ୟରେ ଟିକା ଦିଆଯାଉଛି । ତାପରେ ପ୍ରତି ୫।୬ ବର୍ଷ ଅନ୍ତରରେ ଦେବାର ବ୍ୟବସ୍ଥା ରଖାଯାଇଛି । ଏହାଦ୍ୱାରା ବସନ୍ତ ହୁଏ ନାହିଁ । ଯେଉଁମାନେ ଏ ନିୟମର ବ୍ୟତିକ୍ରମ କରନ୍ତି ସେମାନଙ୍କ ମଧ୍ୟରୁ ବହୁତ ଲୋକ ବସନ୍ତ ରୋଗରେ ଆକ୍ରାନ୍ତ ହୁଅନ୍ତି । ଏଣୁ ପାଖଆଖ ଗାଁମାନଙ୍କରେ ବସନ୍ତ ଦେଖାଗଲେ ଶୀଘ୍ର ବସନ୍ତ ଟିକା ନେବ ।

 

ଚିକିତ୍ସା– ବସନ୍ତ ରୋଗୀକୁ ଗୋଟିଏ ପରିଷ୍କୃତ ସ୍ଥାନରେ ରଖିବ, ରୋଗୀ ଦେହରେ କଅଁଳ ନିମପତ୍ର ବାଟି ବୋଳିବା ଭଲ । ନିମପତ୍ର ଓ କର୍ପୂରକୁ ତେଲରେ ଫୁଟାଇ ସେହି ତେଲ ଲଗାଇଲେ ବସନ୍ତ ଗୋଟିଗୁଡ଼ିକ ଯନ୍ତ୍ରଣା ଦିଏ ନାହିଁ । ତେଲରେ ପାଣି ଓ ‘‘କାର୍ବୋଲିକ୍‌ ଏସିଡ଼’’ ମିଶାଇ ଲଗାଇଲେ ଗୋଟିଗୁଡ଼ିକ ପାଚେନାହିଁ । ହରିଡ଼ା ହାତରେ ବାନ୍ଧିଲେ ଓ ପାଣି ସହିତ ଘୋରି ଲଗାଇଲେ ବସନ୍ତର ବାଧା କମିଯାଏ ।

 

ମାଲେରିଆ– ଏହା ମଧ୍ୟ ଏକ ମାରାତ୍ମକ ରୋଗ । ଆମ ଦେଶରେ ପ୍ରତିବର୍ଷ ଏ ରୋଗ ଯୋଗେ ହଜାର ହଜାର ଲୋକ ମରନ୍ତି । ‘‘ଏନୋଫିଲିସ୍‌’’ ନାମକ ଏକ ଜାତୀୟ ମଶା ଅଛନ୍ତି । ଏମାନେ ଭାରି ବିଷାକ୍ତ । ଏମାନେ ମାଲେରିଆ ରୋଗୀ ଦେହରୁ ମାଲେରିଆ ଜୀବାଣୁ ଆଣି କାମୁଡ଼ିବାଦ୍ୱାରା ସୁସ୍ଥ ଲୋକ ମାଲେରିଆରେ ଆକ୍ରାନ୍ତ ହୁଏ । ଏହି ମଶାମାନେ ସନ୍ତସନ୍ତିଆ, ଜଳାଭୂମି ଓ ପଚାସଢ଼ା ପଡ଼ିଥିବା ମଇଳା ସ୍ଥାନମାନଙ୍କରେ ଡିମ୍ୱ ଦିଅନ୍ତି । ମାଲେରିଆ ଜ୍ୱରକୁ ପାଳି ଜ୍ୱର, କମ୍ପଜ୍ୱର କହନ୍ତି ।

 

ଲକ୍ଷଣ– ମାଲେରିଆ ଜ୍ୱର ହେବା ଆଗରୁ ଦେହ ଶିରି ଶିରି ହୁଏ । ତା’ପରେ କମ୍ପ ହୁଏ-। ଜ୍ୱର ଓ ମୁଣ୍ଡବ୍ୟଥା ହୁଏ । ତାତି ଶେଷରେ ଝାଳ ବହେ । ରୋଗୀ ଦେହରେ ଏକାପରି ରହେନାହିଁ, କେତେ ସମୟପରେ ଛାଡ଼ିଯାଏ, ପୁଣି ହୁଏ । ପାଳି ଅନୁସାରେ ଆସିବାରୁ ଏ ଜ୍ୱରକୁ ପାଳିଜ୍ୱର ମଧ୍ୟ କୁହାଯାଏ । ମାଲେରିଆ ଜ୍ୱର ବହୁଦିନ ଧରି ରହିଲେ ଦେହରୁ ରକ୍ତ ଶୁଖିଯାଏ ଓ ପ୍ଳିହା ବଢ଼ିଯାଏ । ପେଟ ଆଗକୁ ବାହାରି ପଡ଼ିଲେ ରୋଗୀ ବେଶି କଷ୍ଟ ଭୋଗେ ଓ ମୃତ୍ୟୁମୁଖରେ ପଡ଼େ ।

 

ନିବାରଣର ଉପାୟ– ମଶା ଦେଖା ନ ଗଲେ ମାଲେରିଆ ଜ୍ୱର ହେବ ନାହିଁ । ଏଣୁ ଘର ଚାରିପାଖ ମଶା ନ ରହିଲାପରି ପରିଷ୍କାର ପରିଚ୍ଛନ୍ନ ରଖିବ । ଘର ନିକଟରେ ବଣବୁଦା, ସନ୍ତସନ୍ତିଆ ଜାଗା, ରଖିବ ନାହିଁ । ଡି. ଡି. ଟି ପିଚିକାରିଦ୍ୱାରା ମଶା ମରିଯାନ୍ତି । ଏଣୁ ମଶା ଦେଖାଗଲେ ତାହା କରିବ । ଝୁଣାଧୂପ ମଧ୍ୟ ମଶାବଂଶ ନାଶକରେ । ପ୍ରତିଦିନ ସନ୍ଧ୍ୟା ସମୟରେ ତାହା କରିବ । ହଳଦୀ ଲଗାଇ ଶୋଇବା ଭଲ । ଏହାଦ୍ୱାରା ମଶା କାମୁଡ଼ନ୍ତି ନାହିଁ । ମଶାରି ଭିତରେ ଶୋଇଲେ ମଶା କାମୁଡ଼ାରୁ ରକ୍ଷାମିଳେ ।

 

ଚିକିତ୍ସା– ପ୍ରତିଦିନ ସକାଳେ କିମ୍ୱା ମାଲେରିଆ ଜ୍ୱର ନଥିବା ସମୟରେ କୁଇନାଇନ୍‌, ପାଲଡ୍ରିନ୍‌ କିମ୍ୱା ଡାକ୍ତରୀ ଔଷଧ ଖାଇବ । ଡାକ୍ତର ନିକଟରେ ଥିଲେ ତାଙ୍କ ଦ୍ୱାରା ଇନ୍‌ଜେକ୍‌ସନ୍‌ ଦିଆଇବ । ରୋଗୀକୁ କ୍ଷୀର, ବାର୍ଲି, ସାଗୁ ପ୍ରଭୃତି ଲଘୁପାକ ଖାଦ୍ୟ ଖାଇବାକୁ ଦେବ । ଶୋଷ ସମୟରେ ପାଣିକୁ ଫୁଟାଇ ଥଣ୍ଡାକରି ପିଇବାକୁ ଦେବ । ରୋଗୀ ସବୁବେଳେ ପରିଷ୍କୃତ ଓ ସନ୍ତୁଷ୍ଟ ରହିବା ଉଚିତ ।

 

ବାତଜ୍ୱର– ଏହା ‘କୁଲେକ୍ସ’ ମଶାଯୋଗେ ବ୍ୟାପେ । ସେମାନେ ବାତରୋଗ ଜୀବାଣୁକୁ ରୋଗୀଠାରୁ ନେଇ ଅନ୍ୟ ଲୋକ ଦେହରେ ଛାଡ଼ିବାଦ୍ୱାରା ସେ ଲୋକ ରୋଗରେ ପଡ଼େ ।

 

ଲକ୍ଷଣ– ଜ୍ୱରହେବା ପୂର୍ବରୁ ହାତ ଗୋଡ଼ର କୌଣସି ସ୍ଥାନରେ ରକ୍ତ ଗଡ଼େ । ତାହା ପରେ ଶୀତ ହୋଇ ଜ୍ୱର ଆସେ । କେବେ କେବେ ଜ୍ୱର ମଧ୍ୟ ହୁଏ ନାହିଁ । ଏହି ରୋଗ ହେଲେ ହାତ ଗୋଡ଼ ଫୁଲି ଗୋଦର ହୋଇଯାଏ ।

 

ନିବାରଣ ଓ ଚିକିତ୍ସା– କୁଲେକ୍ସ ମଶା ଯେପରି ନ ହୁଏ ଓ ନ କାମୁଡ଼େ ତାହାର ବିସ୍ତର ବ୍ୟବସ୍ଥା କରିବ । ରକ୍ତ ଗଡ଼ିବା ସଙ୍ଗେ ସଙ୍ଗେ ଚିକିତ୍ସା କରିବ । ପ୍ରତିଦିନ ଝାଡ଼ା ପରିଷ୍କାର କରିବ ।

 

କାଛୁ, କୁଣ୍ଡିଆ, ଯାଦୁ– ଏଗୁଡ଼ିକ ଗୋଟିଏ ଗୋଟିଏ ଚର୍ମରୋଗ । ଅପରିଷ୍କାର ଲୁଗାପଟାର ବ୍ୟବହାର ଓ ଅପରିଷ୍କାର କ୍ରିୟାକଳାପ ଯୋଗେ ଏ ରୋଗ ହୁଏ । ରୋଗୀ ପାଖରେ ବସାଉଠା କଲେ ବା ରୋଗୀର ପଦାର୍ଥ ବ୍ୟବହାର କଲେ ଏହି ରୋଗର ଜୀବାଣୁ ଅନ୍ୟଦେହକୁ ଯା’ନ୍ତି । ଦେହର ଯେଉଁ ସ୍ଥାନରେ କଣ୍ଡୁ ହୁଏ ସେ ସ୍ଥାନ ଫୁଲିଯାଏ ଓ ବ୍ୟଥା ହୁଏ । କୁଣ୍ଡାଇବା ଯୋଗେ ସେଠାରେ ଥିବା ରୋଗ ଜୀବାଣୁଗୁଡ଼ିକ ଦେହର ଅନ୍ୟ ଜାଗାକୁ ଯାଇ ସେଠି ରୋଗ ବୃଦ୍ଧି କରାନ୍ତି । ଏହାଦ୍ୱାରା ଦେହଯାକ କାଛୁ କୁଣ୍ଡିଆ ହୁଏ ଓ ରକ୍ତ ଖରାପ ହୋଇଯାଏ ଓ ରୋଗୀ କଷ୍ଟ ପାଏ ।

 

ଚିକିତ୍ସା– ଗରମ ପାଣି ବା ସାବୁନ୍‌ କିମ୍ୱା କାର୍ବୋଲିକ୍‌ ଲୋସନରେ କଣ୍ଡୁସ୍ଥାନ ସଫା କରି ସେଥିରେ ପରିଷ୍କୃତ ଗନ୍ଧକ ନଡ଼ିଆ ତେଲରେ ବା ସୋରିଷ ତେଲରେ ମିଶାଇ ଲଗାଇଲେ ବା ଖାଲି ଗନ୍ଧକ ଲଗାଇଲେ କାଛୁ ଛାଡ଼ିଯାଏ ।

 

‘କ୍ରାଇସ୍‌ ରବିନ୍‌ ଏସିଡ଼ି’ ଗୁଣ୍ଡା କିରାସିନି ବା ସୋରିଷ ତେଲରେ ମିଶାଇ ଯାଦୁକୁ ଭଲଭାବରେ କୁଣ୍ଡାଇ ବା ଗରମ ପାଣିରେ ସଫା କରି ଲଗାଇଲେ ଯାଦୁ ଭଲ ହୋଇଯାଏ । ଯେ କୌଣସି ଚର୍ମରୋଗର ଚିକିତ୍ସା କରିବା ପୂର୍ବରୁ ଔଷଧ ଖାଇ ଝାଡ଼ା ସଫା କରିବା ଉଚିତ ।

Image